ପୃଥିବୀ ଆଡ଼କୁ ମାଡ଼ିଆସୁଛି ପର୍ବତାକାର ଗ୍ରହାଣୁ: ଆଜି ପୃଥିବୀକୁ ଅତିକ୍ରମ କରିବ

ନୂଆଦିଲ୍ଲୀ: ଶୁକ୍ରବାର ଏକ ବିଶାଳ ‘ପ୍ଲାନେଟ୍ କିଲର୍’ ଗ୍ରହାଣୁ ପୃଥିବୀର ଅତି ନିକଟତର ହୋଇ ଅତିକ୍ରମ କରିବାକୁ ଯାଉଛି, ଯାହା ଆମ ଗ୍ରହକୁ ପାଖାପାଖି ଘଣ୍ଟାପ୍ରତି ୯୩,୦୦୦ କିଲୋମିଟର ବେଗରେ ଅତିକ୍ରମ କରିବ। ଏହି ସମ୍ଭାବ୍ୟ ବିପଜ୍ଜନକ ବସ୍ତୁ, ଆକାରରେ ଏକ ପର୍ବତ ପରି। ଏକ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ପୃଥିବୀର ଏତେ ନିକଟତର ହେବାକୁ ଥିବା ସବୁଠାରୁ ବଡ଼ ମହାକାଶୀୟ ପିଣ୍ଡ ମଧ୍ୟରୁ ଏହା ଅନ୍ୟତମ।
୨୦୧୧ୟୁଏଲ୍୨୧ ନାମରେ ପରିଚିତ ଏହି ଗ୍ରହାଣୁକୁ ପୃଥିବୀ ନିକଟସ୍ଥ ଗ୍ରହାଣୁ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି। ଏହା ପ୍ରତି ତିନି ବର୍ଷରେ ଥରେ ସୂର୍ଯ୍ୟକୁ ପରିକ୍ରମା କରିଥାଏ। ଏହାର ବ୍ୟାସ ୧.୭ରୁ ୩.୯ କିଲୋମିଟର ମଧ୍ୟରେ ରହିଛି। ତେବେ ପ୍ରାୟ ୬୬ ନିୟୁତ ବର୍ଷ ପୂର୍ବେ ଡାଇନୋସର ବିଲୁପ୍ତ ହେବାର କାରଣ ବୋଲି ବିଶ୍ୱାସ କରାଯାଉଥିବା ଗ୍ରହାଣୁଠାରୁ ଏହା ପ୍ରାୟ ୫ ଗୁଣ ଛୋଟ। ତା’ ସତ୍ତ୍ବେ ଏହାଦ୍ବାରା ବ୍ୟାପକ କ୍ଷୟକ୍ଷତି ଘଟିବାର ସମ୍ଭାବନା ଥିବାରୁ ୨୦୧୧ୟୁଏଲ୨୧କୁ ଏବେ ବି ‘ସମ୍ଭାବ୍ୟ ବିପଦ’ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି।

ଏହା ମହାଦେଶୀୟ ସ୍ତରରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ଏବଂ ଜଳବାୟୁରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବା ସହ ବାୟୁମଣ୍ଡଳରେ ପର୍ଯ୍ୟାପ୍ତ ଆବର୍ଜନା (ପଥର ଗୁଣ୍ଡ ଓ ଧୂଳି ଆଦି) ଛାଡ଼ିବାର କ୍ଷମତା ରଖିଛି। ନାସାର ଜେଟ୍ ପ୍ରୋପଲ୍ସନ୍ ଲାବୋରେଟୋରି (ଜେପିଏଲ୍)ର ସିମୁଲେସନ୍ ଅନୁଯାୟୀ ଜୁନ୍ ୨୭ (ଭାରତୀୟ ସମୟ ଜୁନ୍ ୨୮)ରେ ଏହି ପର୍ବତାକାର ଗ୍ରହାଣୁ ପୃଥିବୀ ଦେଇ ୬.୬ ନିୟୁତ କିଲୋମିଟର ଦୂରତାରେ ଅତିକ୍ରମ କରିବ। ଏହି ସମୟରେ ନାସା ଏହାକୁ ଏକ ସମ୍ଭାବ୍ୟ ବିପଜ୍ଜନକ ବସ୍ତୁ ଭାବରେ ଶ୍ରେଣୀଭୁକ୍ତ କରିଛି, ଯଦିଚ ଏହା ଚନ୍ଦ୍ରଠାରୁ ପ୍ରାୟ ୧୭ ଗୁଣ ଦୂରରେ ରହିଥାଏ। ଯଦିଚ ୨୦୧୧ୟୁଏଲ୍୨୧ ବର୍ତ୍ତମାନ ପୃଥିବୀ ପାଇଁ ବିପଦ ସୃଷ୍ଟି କରୁନାହିଁ, ଏହା ୧୯୦୦ ପରଠାରୁ ଆମ ଗ୍ରହର ୭.୫ ନିୟୁତ କିଲୋମିଟର ମଧ୍ୟରେ ପହଞ୍ଚିଥିବା ସର୍ବବୃହତ୍ ଗ୍ରହାଣୁ ମଧ୍ୟରୁ ଅନ୍ୟତମ ବୋଲି ଜ୍ୟୋତିର୍ବିଜ୍ଞାନୀ ଜିଆନଲୁକା ମାସି କହିଛନ୍ତି।

ସମ୍ବନ୍ଧିତ ଖବର