‌ଟ୍ରଲର ଭିତରେ ପଶିଗଲା କାର: ୧୦ଜଣ ଯାତ୍ରୀଙ୍କ ଗଲା ଜୀବନ

ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦ-ବଡୋଦରା ଏକ୍ସପ୍ରେସୱେର ନଡିୟାଦ ନିକଟରେ ଭୟାବହ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୦ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ଦୁର୍ଘଟଣାକୁ ନେଇ ପୁଲିସ ସୂତ୍ରରୁ ପ୍ରକାଶ, ଦୁର୍ଘଟଣାଗ୍ରସ୍ତ କାରଟି ବଡୋଦରାରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରୁଥିଲା। ଏହି କାରରେ ୧୦ଜଣ ଯାତ୍ରୀ ବସି ଯାତ୍ରା କରୁଥିଲେ। କାରଟି ଦ୍ରୁତଗତିରେ ଥିବା ବେଳେ ସାମ୍ନାରେ ଯାଉଥିବା  ଏକ ଟ୍ରଲରର ପଛପାର୍ଶ୍ବ‌ରେ ମାଡ଼ ହୋଇ ଭିତରକୁ ପଶି ଯାଇଥିଲା।

ଦୁୂର୍ଘଟଣା ପରେ କାରଟି ଟ୍ରଲର ପଛରେ ସମ୍ପୂର୍ଣ୍ଣ ଭାବେ ଚାପି ହୋଇଯିବାରୁ ଏଥିରେ ବସିଥିବା କୌଣସି ଯାତ୍ରୀ ବାହାରକୁ ବାହାରି ପାରି ନଥିଲେ। ଫଳରେ କାର ଭିତରେ ୮ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ହସ୍ପିଟାଲରେ ଅନ୍ୟ ଦୁଇଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଡାକ୍ତର ତାଙ୍କର ଚିକିତ୍ସା ଜାରି ରଖିଛନ୍ତି।

ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତକଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହିତ ସେମାନଙ୍କ ସମ୍ପର୍କୀୟଙ୍କୁ ଯୋଗାଯୋଗ କରିବାକୁ ‌ଚେଷ୍ଟା କରୁଛି। ଖବର ଲେଖାହେଲା ପର୍ଯ୍ୟନ୍ତ ଏହି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକ ଓ ଆହତଙ୍କ କୌଣସି ପରିଚୟ ମିଳି ପାରି ନଥିଲା। ଦୁର୍ଘଟଣା‌ ପରେ ଉକ୍ତ ରାସ୍ତାରେ ଯାତାୟାତକୁ ପୁଲିସ ବନ୍ଦ କରି ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର