‘ସିଏଏକୁ ହଟାଇବୁ’ ତୃଣମୂଳ କଂଗ୍ରେସର ଘୋଷଣାପତ୍ର

କୋଲକାତା: ଲୋକସଭା ନିର୍ବାଚନ ୨୦୨୪ ପାଇଁ ତୃଣମୂଳ କଂଗ୍ରେସ (ଟିଏମସି)ର ଇସ୍ତାହାର ବୁଧବାର (ଏପ୍ରିଲ ୧୭, ୨୦୨୪) ପ୍ରକାଶ ପାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଦଳ ଏଥିରେ ୧୦ଟି ଶପଥ ନେଇଛି। ଇସ୍ତାହାରରେ ସିଏଏକୁ ଉଚ୍ଛେଦ କରିବା, ଏନଆରସି କୁ ବନ୍ଦ କରିବା ଏବଂ ୟୁସିସିକୁ ସମଗ୍ର ଦେଶରେ ଲାଗୁ ହେବାକୁ ଦିଆଯିବ ନାହିଁ ବୋଲି ପ୍ରତିଶ୍ରୁତି ଦିଆଯାଇଛି । କ୍ଷମତାକୁ ଆସିଲେ ଘରେ ବସି ୫ କିଲୋଗ୍ରାମ ମାଗଣା ରାସନ ଦିଆଯିବ ଏବଂ ବିପିଏଲ୍ ପରିବାରକୁ ବର୍ଷକୁ ୧୦ଟି ଗ୍ୟାସ ସିଲିଣ୍ଡର ମାଗଣାରେ ଦିଆଯିବ ବୋଲି ଟିଏମସି କହିଛି।

ଟିଏମସି ଇସ୍ତାହାର ଉନ୍ମୋଚନ କରି ଦଳୀୟ ନେତା ଡେରେକ ଓବ୍ରାଏନ୍ କହିଛନ୍ତି ଯେ କେନ୍ଦ୍ରରେ ଟିଏମସି ସରକାର ଗଠନ ହେଲେ ମନରେଗାକୁ ଦୈନିକ ୪୦୦ ଟଙ୍କାକୁ ବୃଦ୍ଧି କରାଯିବ, ସମସ୍ତଙ୍କ ପାଇଁ ପକ୍କା ଘର ହେବ, ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମାସିକ ୧୦୦୦ ଟଙ୍କା (ବାର୍ଷିକ ୧୨ ହଜାର ଟଙ୍କା) ପେନସନ ଦିଆଯିବ। ଇନ୍ଧନ ଓ ଏଲପିଜି ଦର ଯାଞ୍ଚ କରାଯିବ, ମୂଲ୍ୟ ସ୍ଥିରୀକରଣ ପାଣ୍ଠି ଗଠନ କରାଯିବ, ୨୫ ବର୍ଷ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାସିକ ଷ୍ଟାଇପେଣ୍ଡ, ଆଗକୁ ପାଠ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ୧୦ ଲକ୍ଷ ଟଙ୍କାର ଷ୍ଟୁଡେଣ୍ଟ କ୍ରେଡିଟ୍ କାର୍ଡ, ବଙ୍ଗଳାର ଲକ୍ଷ୍ମୀ ଭଣ୍ଡାର ଭଳି ମହିଳାମାନଙ୍କୁ ମାସିକ ରାଶି ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର