ବାୟୁସେନା ଆକ୍ରମଣ : ରାଜନୈତିକ ଦଳମାନଙ୍କୁ ସ୍ଥିତି ସମ୍ପର୍କରେ ଅବଗତ କଲେ ସରକାର

ସୁରକ୍ଷା ବାହିନୀ ପଛରେ ସବୁ ଦଳଙ୍କ ସମର୍ଥନ ରହିଛି : ଗୁଲାମ ନବି ଆଜାଦ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ପକ୍ଷରୁ ଆଜି ପାକିସ୍ତାନରେ ଥିବା କେତେକ ଆତଙ୍କବାଦୀ କ୍ୟାମ୍ପ ଉପରେ ବିମାନ ଆକ୍ରମଣ କରାଯିବାର କିଛି ଘଣ୍ଟା ପରେ ଭାରତ ସରକାର ଏକ ସର୍ବଦୈଳୀୟ ବୈଠକ ଡାକି ସ୍ଥିତି ସଂପର୍କରେ ରାଜନୈତିକ ଦଳମାନଙ୍କୁ ଅବଗତ କରାଇଛନ୍ତି । ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଅଧ୍ୟକ୍ଷତା କରିଥିଲେ । ଏଥିରେ କଂଗ୍ରେସ, ସିପିଏମ, ସମାଜବାଦୀପାର୍ଟି, ନ୍ୟାସନାଲ କନଫରେନ୍ସ, ଏନସିପି, ବିଜେଡି, ଶିବସେନା ପ୍ରଭୃତି ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ । ବିଜେଡି ପକ୍ଷରୁ ସାଂସଦ ଭର୍ତ୍ତୃହରି ମହତାବ ଯୋଗଦେଇଥିଲେ ।
ଅନ୍ୟପକ୍ଷରେ ଏହି ଆକ୍ରମଣ ସଂପର୍କରେ ଭାରତ ସରକାର ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ଚୀନ, ଫ୍ରାନ୍ସ, ଇସ୍ରାଏଲ ପ୍ରଭୃତି ଦେଶକୁ ଅବଗତ କରାଇଛନ୍ତି । ଏହା ପାକିସ୍ତାନ ଦେଶ ନୁହେଁ, ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଥିଲା ବୋଲି ଭାରତ କହିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଏ ସଂପର୍କରେ ତାଙ୍କୁ ଅବଗତ କରାଇଛନ୍ତି ।

ସମ୍ବନ୍ଧିତ ଖବର