‘ଆପଣ କ’ଣ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କି?’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନୀ ପ୍ରସଙ୍ଗରେ ସାର୍ବଜନୀନ ବିତର୍କ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିମନ୍ତ୍ରଣ ଗ୍ରହଣ କରିବା ପରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କୁ ତୀବ୍ର କଟାକ୍ଷ କରିଛନ୍ତି। ରାହୁଲ ଗାନ୍ଧୀ ଇଣ୍ଡି ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କି (?) ବୋଲି ସ୍ମୃତି ପ୍ରଶ୍ନ କରିଛନ୍ତି। ଯଦି ରାହୁଲ ଗାନ୍ଧୀ ମେଣ୍ଟର ମୁଖ୍ୟ ନେତା ନୁହନ୍ତି କିମ୍ବା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନୁହନ୍ତି ତା’ହେଲେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭଳି ଜଣେ ବ୍ୟକ୍ତିତ୍ବଙ୍କ ସହ ବିତର୍କ କରିପାରିବେ କି ବୋଲି ସ୍ମୃତି ପ୍ରଶ୍ନ କରିଛନ୍ତି।

ପ୍ରଥମତଃ, ଯେଉଁ ବ୍ୟକ୍ତି ନିଜର ତଥାକଥିତ ଦୁର୍ଗ(ଆମେଥି)ରେ ବି ଜଣେ ସାଧାରଣ ବିଜେପି କର୍ମୀଙ୍କ ବିରୋଧରେ ଲଢ଼ିବାର ସାହସ ଜୁଟାଇ ପାରିନାହାନ୍ତି, ସେ ପ୍ରଧାନମନ୍ତ୍ରୀଙ୍କ ସହ ବିତର୍କ ପାଇଁ ଏତେ ଆଗ୍ରହ ଓ ଗର୍ବ କରିବାରୁ ଦୂରେଇ ରହିବା ଉଚିତ ବୋଲି ସ୍ମୃତି କହିଛନ୍ତି। ରାହୁଲ ଗାନ୍ଧୀ ନିଜେ ନିଜକୁ ଭାରତର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଧରିନେଇ ବିତର୍କ ପାଇଁ ଆହ୍ବାନ ଦେବା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି। କେରଳର ୱାୟନାଡ଼ ଏବଂ ଉତ୍ତରପ୍ରଦେଶର ରାଏବରେଲି ଆସନରୁ ନିର୍ବାଚନ ଲଢୁଥିବା ରାହୁଲ ଗାନ୍ଧୀ ଶନିବାର ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାର୍ବଜନୀନ ବିତର୍କ ପାଇଁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ଗ୍ରହଣ କରିବା ସହ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଆହ୍ବାନ ଦେଇଥିଲେ। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମଦନ ବି ଲୋକୁର, ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏପି ଶାହ ଏବଂ ବରିଷ୍ଠ ସାମ୍ବାଦିକ ଏନ୍ ରାମ ଉଭୟଙ୍କୁ ବିତର୍କ ପାଇଁ ନିମନ୍ତ୍ରଣ ଦେଇଥିଲେ। ରାହୁଲ କହିଛନ୍ତି ଯେ ଏଭଳି ବିତର୍କ ଲୋକମାନଙ୍କୁ ନିଜ ନିଜ ଦୃଷ୍ଟିକୋଣକୁ ବୁଝିବାରେ ସାହାଯ୍ୟ କରିବ ଏବଂ ସେମାନଙ୍କୁ ଏକ ସଚେତନ ଚୟନ ଦିଗରେ ସକ୍ଷମ କରିବ।

ଅନ୍ୟପଟେ ଲୋକସଭା ନିର୍ବାଚନରେ ମତଦାନ ତଥ୍ୟକୁ ନେଇ ପ୍ରଶ୍ନ ଉଠାଇଥିବା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ମଧ୍ୟ ସ୍ମୃତି ଇରାନୀ ସମାଲୋଚନା କରିଛନ୍ତି। ଲୋକଙ୍କ ସମ୍ପତ୍ତି ଗଣିବା କଥା କହୁଥିବା କଂଗ୍ରେସ ଏବେ ମତଦାନ ପ୍ରତିଶତକୁ ମଧ୍ୟ ସନ୍ଦେହ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ନାଗରିକଙ୍କ ମତାମତ ଓ ଅଧିକାରକୁ ସମ୍ମାନ ଦେଉନଥିବା କଂଗ୍ରେସ ଦେଶକୁ କିଭଳି ବାର୍ତ୍ତା ଦେବାକୁ ଚାହୁଛି ବୋଲି ସ୍ମୃତି ପ୍ରଶ୍ନ କରିଛନ୍ତି। ଯଦି ଖଡ଼ଗେ ଭାବୁଛନ୍ତି ଯେ ସଚେତନ ଭୋଟର୍‌ ଏବଂ ନାଗରିକମାନେ ଜାତୀୟ ରାଜନୀତିରେ ଆଗ୍ରହ ପ୍ରକାଶ କରିବା ଉଚିତ ନୁହେଁ, ତା’ହେଲେ ଏହା କ’ଣ ରାହୁଲ ଗାନ୍ଧୀଙ୍କ ଚିନ୍ତାର ପ୍ରତିଫଳନ କି ବୋଲି ସ୍ମୃତି ପଚାରିଛନ୍ତି।

ସମ୍ବନ୍ଧିତ ଖବର