ଦେଶରେ ଅଣ-ବିଜେପି ସରକାର ଗଠନ ହେଲେ ପଛୁଆ ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦିଆଯିବ: ନୀତୀଶ କୁମାର

ପାଟନା: ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ବିରୋଧୀଙ୍କୁ ଏକଜୁଟ କରୁଥିବ‌ା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଯଦି ଦେଶରେ ଅଣ-ବିଜେପି ସରକାର ଗଠନ ହୁଏ ତେବେ ସମସ୍ତ ପଛୁଆ ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦିଆଯିବ। ବିହାରରେ ନୀତୀଶ କୁମାର ଏନଡିଏରୁ ଅଲଗା ହେବା ପରେ ମହାଗଠବନ୍ଧନ ସହ ସରକାର ଗଢ଼ିଛନ୍ତି। ସେବେଠାରୁ ସେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ସମେତ ଅନେକ ବିରୋଧୀ ଦଳର ନେତାଙ୍କୁ ଭେଟି ବିଜେପିକୁ କଡା ଟକ୍କର ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ନୀତୀଶ କୁମାର କହିଛନ୍ତି ଯେ ଯେତେବେଳେ ପ୍ରଧାନମନ୍ତ୍ରୀ ପାଟନା ଆସିଥିଲେ, ସେତେବେଳେ ମୁଁ ବିହାର ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରିଥିଲି। ହେଲେ ପ୍ରଧାନମନ୍ତ୍ରୀ ମୋର ଦାବିକୁ ପୂରଣ କରିନଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯଦି ବିହାରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦିଆଯାଇଥାନ୍ତା ତେବେ ରାଜ୍ୟର ଆହୁରି ବିକାଶ ହୋଇଥାନ୍ତା। ଆମ ସରକାର ସର୍ବଦା ରାଜ୍ୟର ବିକାଶ ପାଇଁ ଚେଷ୍ଟା କରି ଆସିଛି। ଆମ ସରକାର କାମ କରେ ପ୍ରଚାର ନୁହେଁ।

ତେବେ ବିହାରରେ ଶାସକ ଦଳରୁ ବିଜେପିକୁ କାଢ଼ି ଫିଙ୍ଗିବା ପରେ ନୀତୀଶ ପ୍ରଧାନମନ୍ତ୍ରୀ ପଦ ପାଇଁ ଲଢ଼େଇ କରିବେ ବୋଲି ଅନୁମାନ କରାଯାଉଛି। ତେବେ ନୀତୀଶ ନିଜେ ଅନେକ ଥର ପ୍ରଧାନମନ୍ତ୍ରୀ ପଦ ପାଇଁ ଲଢ଼େଇ କରିବେ ନାହିଁ ବୋଲି ଅସ୍ୱୀକାର କରିଥିଲେ ବି ସେ ଦେଉଥବା ପ୍ରତିଶ୍ରୁତିରୁ ତାହା ଜଣାପଡ଼ୁନାହିଁ।

ସମ୍ବନ୍ଧିତ ଖବର