ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର-ହେଲ୍‌ପରଙ୍କୁ ନିସ୍ତୁକ ପିଟିଲେ, ୫୦ ହଜାର ଟଙ୍କା ଦାବି କରି ହତ୍ୟା ଧମକ ଦେଲେ

ଭୁବନେଶ୍ବର: ଗାଡ଼ି ଧକ୍କାକୁ କେନ୍ଦ୍ର କରି ରାଜଧାନୀ ଭୁବନେଶ୍ବରରେ ବୁଧବାର ରାତିରେ ତୁମୁଳକାଣ୍ଡ ହୋଇଛି। କିଛି ଦୁର୍ବୃତ୍ତ ଆଇନକୁ ବେଖାତିର କରି ଟ୍ରକ୍‌କୁ ନିଜ ଅକ୍ତିଆରରେ ରଖି ଏହାର ଡ୍ରାଇଭର ଓ ହେଲ୍ପରଙ୍କୁ ବନ୍ଧକ ରଖି ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି। ଟଙ୍କା ନ ଦେଲେ ହତ୍ୟା ଧମକ ଦେଇଛନ୍ତି। ରାଜଧାନୀ ଭୁବନେଶ୍ବରର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଏହିଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନା ‌ଅନୁସାରେ ବୁଧବାର ରାତି  ପ୍ରାୟ ୮ଟାରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ବେଳେ ପଳାଶୁଣି ଛକ ନିକଟରେ ଏକ ଟ୍ରକ ସହ କାର ଧକ୍କା ହୋଇଥିଲା। ଦୁର୍ଘଟଣା ପରେ କିଛି ଶୁଣିବା ଆଗରୁ କାର୍‌ରେ ଥିବା ଯୁବକ ଜଣକ ନିଜର କିଛି ସହଯୋଗୀଙ୍କୁ ଘଟଣାସ୍ଥଳକୁ ଆସିବା ପାଇଁ ଡକାଇଥିଲେ।  ସହଯୋଗୀମାନେ ଘଟଣାସ୍ଥଳକୁ ପହଂଚିବା ପରେ ଟ୍ରକକୁ ସତ୍ୟବିହାର ନିକଟରେ ଥିବା ଏକ କାଠଗୋଲା ଭିତରକୁ ନେଇଯିବା ସହ ଡ୍ରାଇଭର, ହେଲ୍ପରଙ୍କୁ ନିର୍ଦ୍ଧୁମ ପିଟିଥିଲେ । ରାତି ପ୍ରାୟ ୧୦ଟାରେ ଟ୍ରକ ମାଲିକଙ୍କୁ ଫୋନ କରି ୫୦ ହଜାର ଟଙ୍କା ନଦେଲେ ଡ୍ରାଇଭର ହେଲ୍ପରଙ୍କୁ ଜୀବନରୁ ମାରିଦେବାକୁ ବୋଲି ଧମକ ଦେଇଥିଲେ । ଏ ନେଇ ଗାଡ଼ି ମାଲିକ ଟ୍ରକ ମାଲିକ ଆଜି ମଞ୍ଚେଶ୍ୱର ଥାନାରେ ପହଁଚି ପୂରା ଘଟଣା ବୟାନ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଁଚି ସେମାନଙ୍କୁ ଉଦ୍ଧାର କରିବା ସହ ଦୁଇ ଜଣଙ୍କୁ ଅଟକ ରଖିଛି ।

ଟ୍ରକ ମାଲିକଙ୍କ ଅଭିଯୋଗ ପାଇବା ପରେ ନିଜେ ମଞ୍ଚେଶ୍ୱର ଥାନାଧିକାରୀ ଘଟଣାକୁ ଗୁରୁତର ଭାବେ ନେବା ସହ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେ ନେଇ ଖୋଳତାଡ଼ କରିଛନ୍ତି। ଅନ୍ୟପକ୍ଷରେ ସନ୍ଧ୍ୟା ସମୟରେ ଜନଗହଳି ସ୍ଥାନରେ ଏତେ ବଡ଼ ଘଟଣା ଘଟିଗଲା, କିନ୍ତୁ ପୁଲିସ କିଭଳି ସକାଳ ଯାଏଁ ଖବର ପାଇଲାନି, ତାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ପାର୍ବଣ ପାଇଁ ପୁଲିସ ଅଣ୍ଟା ଭିଡିଥିବା ବେଳେ ଦୁର୍ଘଟଣାକୁ କେନ୍ଦ୍ର କରି ଗୋଟିଏ କାଠଗୋଲା ଭିତରେ କଙ୍ଗାରୁ କୋର୍ଟ ବସିବା ଓ ଗାଡି ଷ୍ଟାଫଙ୍କୁ ମରଣାନ୍ତକ ଆକ୍ରମଣ ହେବା ପୁଲିସର ପାରିବାପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମ୍ବନ୍ଧିତ ଖବର