ପ୍ରଜ୍ବଳ ରେବନ୍ନାଙ୍କୁ କେନ୍ଦ୍ରର ନୋଟିସ୍‌

ନୂଆଦିଲ୍ଲୀ: ଯୌନ କେଳେଙ୍କାରୀ ଭିଡିଓ ମାମଲାରେ ଜେଡିଏସ୍‌ ସାଂସଦ ପ୍ରଜ୍ବଳ ରେବନ୍ନାଙ୍କୁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନୋଟିସ୍‌ ଜାରି କରିଛି। କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏ ବାବଦରେ ଗଣମାଧ୍ୟମକୁ ସୂଚିତ କରିଛନ୍ତି। ଯୌନ କେଳେଙ୍କାରୀ ମାମଲାରେ ସଂପ୍ରତି ସାଂସଦ ରେବନ୍ନା ଭାରତ ଛାଡ଼ି ଜର୍ମାନୀରେ ଆତ୍ମଗୋପନ କରିଛନ୍ତି। ରେବନ୍ନାଙ୍କ ନିକଟରେ ଥିବା କୂଟନୈତିକ ପାସ୍‌ପୋର୍ଟ ଯୋଗୁଁ ସେ ସହଜରେ ଦେଶ ଛାଡ଼ି ଚାଲିଯିବାରେ ସକ୍ଷମ ହୋଇଥିଲେ ବୋଲି ଅଭିଯୋଗ ହୋଇଥିଲା।

ସେହିଭଳି, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ରେବନ୍ନାଙ୍କ କୂଟନୈତିକ ପାସ୍‌ପୋର୍ଟ ବାତିଲ କରିବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଚିଠି ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପଦକ୍ଷେପ ନେଇଛି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ମେ ୨୧ ତାରିଖରେ କୂଟନୈତିକ ପାସ୍‌ପୋର୍ଟ ବାତିଲ କରିବା ଅନ‌ୁରୋଧକୁ ମନ୍ତ୍ରଣାଳୟ ଗ୍ରହଣ କରିଛି। ପାସ୍‌ପୋର୍ଟ ଆଇନ୍‌ ୧୯୬୭ ଅନୁସାରେ ରେବନ୍ନାଙ୍କ ସ୍ବତନ୍ତ୍ର ପାସ୍‌ପୋର୍ଟକୁ ବାତିଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଯଦି ରେବନ୍ନାଙ୍କ ପାସ୍‌ପୋର୍ଟ ବାତିଲ ହୋଇଯାଏ ତେବେ ତାଙ୍କର ବିଦେଶରେ ରହିବା ବେଆଇନ ଘୋଷିତ ହେବ ଓ ସେହି ଦେଶର ସରକାରଙ୍କ ଦ୍ବାରା ଆଇନାନୁସାରେ ଦଣ୍ଡିତ ହେବେ।

ସମ୍ବନ୍ଧିତ ଖବର