ନୂଆଦିଲ୍ଲୀ : ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟଙ୍କ ମଧ୍ୟରେ ମତଭେଦ ଚାଲିଥିବାବେଳେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପାଞ୍ଚ ଜଣ ନୂତନ ବିଚାରପତି ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ଅନୁମୋଦନର କିଛି ଘଣ୍ଟା ପୂର୍ବରୁ ସରକାର ଅଦାଲତଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଶୀଘ୍ର ନୂତନ ନିଯୁକ୍ତି ଦିଆଯିବ । ମିଳିଥିବା ସୂଚନା ଅନୁସାରେ ନିଯୁକ୍ତି ସମ୍ବନ୍ଧୀୟ ବିଜ୍ଞପ୍ତି ଶନିବାର ବିଳମ୍ବିତ ରାତିରେ ଜାରି କରାଯିବ ବୋଲି ଆଶା କରାଯାଉଛି ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ବସିଥିବା କଲେଜିୟମ୍ ଗତ ଡିସେମ୍ବର ୧୩ରେ ୫ ଜଣ ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ପାଇଁ ସୁପାରିଶ କରିଥିଲେ । ଏହି ୫ ଜଣ ହେଲେ ଜଷ୍ଟିସ ପଙ୍କଜ ମିତ୍ତଲ (ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି), ଜଷ୍ଟିସ୍ ସଞ୍ଜୟ କାରୋଲ (ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି), ପି.ଭି. ସଞ୍ଜୟ କୁମାର (ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି), ଅହସାନୁଦ୍ଦିନ ଅମାନୁଲ୍ଲା (ପାଟନା ହାଇକୋର୍ଟର ବିଚାରପତି) ଏବଂ ମନୋଜ ମିଶ୍ର (ହାଇକୋର୍ଟ ବିଚାରପତି) ।
ଏହି ପାଞ୍ଚ ଜଣ ବିଚାରପତିଙ୍କ ନାମ ଡିସେମ୍ବର ୧୩ରୁ ସରକାରଙ୍କ ପାଖରେ ବିଚାରାଧୀନ ଥିଲା। ଏହା ବ୍ୟତୀତ କଲେଜିୟମ୍ ମଧ୍ୟ ଗତ ସପ୍ତାହରେ ଆଉ ଦୁଇଟି ନାମ ସୁପାରିଶ କରିଛି । ନବନିଯୁକ୍ତ ସମସ୍ତ ବିଚାରପତି ସୋମବାର ଭାରତର ସିଜେଆଇ ଡି.ୱାଇ. ଚନ୍ଦ୍ରଚୂଡଙ୍କ ଦ୍ୱାରା ଶପଥ ଗ୍ରହଣ କରିବେ ବୋଲି ଆଶା କରାଯାଉଛି । ଏହି ନିଯୁକ୍ତି ସହିତ ସୁପ୍ରିମକୋର୍ଟରେ ଅନୁମୋଦିତ ୩୪ ଜଣ ବିଚାରପତି ପଦ ମଧ୍ୟରୁ ଏବେ ୩୨ଟି ପୂରଣ ହୋଇଯାଇଛି ।