ଚୀନ୍ ଭାଙ୍ଗୁଛି ଆରବ ଶୈଳୀରେ ନିର୍ମିତ ମସଜିଦ୍: ଗମ୍ବୁଜ-ମିନାର ଭଙ୍ଗା ଅଭିଯାନ ସାରା ଦେଶରେ ଚାଲିଛି

ବେଜିଂ : ଚୀନ୍‌ରେ ସଂଖ୍ୟାଲଘୁ ମୁସଲମାନମାନଙ୍କର ଧାର୍ମିକ ସ୍ଥଳ ଉପରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଲଗାଇବା ପ୍ରକ୍ରିୟା ଜାରି ରହିଛି। ଚୀନ୍ ସରକାର ଆରବ ଶୈଳୀରେ ନିର୍ମିତ ମିନାରଗୁଡ଼ିକୁ ମସଜିଦ୍‌ରୁ ହଟାଇ ଦେଇଛନ୍ତି।

ଦି ଗାର୍ଡିଆନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ସ୍ଥଳଗୁଡିକର ଚୀନ୍‌କରଣ ଅଭିଯାନର ଏକ ଅଂଶ ଭାବରେ ସମସ୍ତ ମସଜିଦ୍‌ର ନିର୍ମାଣରେ ପରିବତ୍ତର୍ନ କରାଯାଇଛି। ଏହା ଅଧୀନରେ ଦେଶର ପ୍ରମୁଖ ମସଜିଦ୍‌ରୁ ଆରବୀୟ ଶୈଳୀ ସ୍ଥାପତ୍ୟକୁ ହଟାଇ ଦିଆଯାଇଛି। ମସଜିଦ୍‌ର ଗମ୍ବୁଜ ଏବଂ ମିନାର ଆଉ ନାହିଁ । ମସଜିଦ୍‌ ଉପରେ ଥିବା ଅର୍ଦ୍ଧଚନ୍ଦ୍ର ଏବଂ ସବୁଜ ଟାଇଲଗୁଡିକ ମଧ୍ୟ ହ୍ରାସ କରାଯାଇଛି।

ଚୀନ୍‌ର ସବୁଠାରୁ ବଡ ମସଜିଦ୍‌, ଶାଦିଆନର ଗ୍ରାଣ୍ଡ ମସଜିଦ ଦକ୍ଷିଣ-ପଶ୍ଚିମ ୟୁନାନ ପ୍ରଦେଶର ଏକ ଛୋଟ ସହରରେ ଅବସ୍ଥିତ। ଗତ ବର୍ଷ ପର୍ଯ୍ୟନ୍ତ ଏହି ମସଜିଦ୍‌ ଏକ ବୃହତ୍ କୋଠା ଥିଲା ଯାହାକି ୨୧,୦୦୦ବର୍ଗ ମିଟର ଅଞ୍ଚଳରେ ବ୍ୟାପିଥିଲା। ଏହାର ଶୀର୍ଷରେ ସବୁଜ ଟାଇଲ୍‌ର ଏକ ଗମ୍ବୁଜ ଥିଲା। ଏହା ଉପରେ ଏକ ଅର୍ଦ୍ଧଚନ୍ଦ୍ର ଶୋଭା ପାଉଥିଲା । ବଡ଼ ଗମ୍ବୁଜର ଉଭୟ ପାର୍ଶ୍ୱରେ ଚାରୋଟି ଉଚ୍ଚ ମିନାର ଏବଂ ଦୁଇଟି ଛୋଟ ଗମ୍ବୁଜ ଥିଲା।

ମସଜିଦ୍‌ର ନୂତନ ଫଟୋଗୁଡ଼ିକରେ ହାନ ଚାଇନିଜ୍ ଶୈଳୀରେ ପାଗୋଡା ଛାତ ସହିତ ଗମ୍ବୁଜ ନିର୍ମାଣ କରାଯାଇଛି। ମିନାରଗୁଡିକର ଉଚ୍ଚତା ମଧ୍ୟ ହ୍ରାସ ପାଇଛି ଏବଂ ସେଗୁଡିକୁ ପାଗୋଡା ଟାୱାରରେ ପରିଣତ କରାଯାଇଛି।

ଶାଦିଆନ୍ ଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ୟୁନାନ୍‌ର ଅନ୍ୟ ଏକ ଐତିହାସିକ ମସଜିଦ୍‌କୁ ମଧ୍ୟ ନବୀକରଣ କରାଯାଇଛି। ଏହାର ଆରବୀୟ ଶୈଳୀକୁ ହଟାଇ ଦିଆଯାଇଛି। ଏଗୁଡିକ ଚାଇନିଜ୍ ଶୈଳୀରେ ପରିବର୍ତ୍ତନ କରାଯାଇଛି।

ଚୀନ୍ ସରକାର ୨୦୧୮ରେ ଇସଲାମ୍‌ର ଚୀନ୍‌କରଣ ଉପରେ ଏକ ପାଞ୍ଚ ବର୍ଷର ଯୋଜନା ପ୍ରକାଶ କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ବିଦେଶୀ ସ୍ଥାପତ୍ୟ ଶୈଳୀକୁ ବିରୋଧ କରିବା ଏବଂ ଚୀନ୍ ବୈଶିଷ୍ଟ୍ୟ ସହିତ ଇସଲାମିକ ସ୍ଥାପତ୍ୟକୁ ପ୍ରୋତ୍ସାହିତ କରିବା।

ରିପୋର୍ଟ ଅନୁଯାୟୀ, ଚୀନ୍ କମ୍ୟୁନିଷ୍ଟ ପାର୍ଟିର ଏକ ମେମୋ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଧାର୍ମିକ ସ୍ଥଳଗୁଡିକ ପାଇଁ ଅଧିକ ଭାଙ୍ଗିବା ଏବଂ କମ୍ ନିର୍ମାଣ ନୀତି ଅନୁସରଣ କରିବାକୁ କହିଛି। ଦି ଗାର୍ଡିଆନଙ୍କ ସହ କଥାବାର୍ତ୍ତା କରି କର୍ଣ୍ଣେଲ ବିଶ୍ୱବିଦ୍ୟାଳୟର ଆନ୍ଥ୍ରୋପୋଲୋଜିଷ୍ଟ ରୁସଲାନ ୟୁସୁପୋଭ କହିଛନ୍ତି ଏହି ଦୁଇଟି ଐତିହାସିକ ମସଜିଦ୍‌ର ପରିବର୍ତ୍ତନ ଅଭିଯାନର ସଫଳତାର ପ୍ରତୀକ।

ଯଦିଓ ଛୋଟ ଆରବ ଶୈଳୀରେ ମସଜିଦ୍‌ ବିଭିନ୍ନ ଗ୍ରାମରେ ରହିଛି ତେବେ ସ୍ଥାନୀୟ ସମ୍ପ୍ରଦାୟଙ୍କ ପାଇଁ ଚୀନ୍‌କରଣକୁ ବିରୋଧ କରିବା କଷ୍ଟକର ହେବ। ପ୍ଲାୟମାଉଥ୍ ବିଶ୍ୱବିଦ୍ୟାଳୟର ଚୀନ୍ ଇସଲାମର ଐତିହାସିକ ହାନ୍ନା ଥେକର କହିଛନ୍ତି ମସଜିଦ୍‌ ପାଇଁ ଚୀନ୍‌କରଣ ଅଭିଯାନ ଦେଶରେ ଜାରି ରହିଛି।

ସମ୍ବନ୍ଧିତ ଖବର