ରାହୁଲ ବିରୋଧୀ ଦଳ ନେତା ହେବା ପରେ ପିଟ୍ରୋଡାଙ୍କୁ ଏହି ବଡ ଦାୟିତ୍ୱ ଦେଲା କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପୁଣିଥରେ ସାମ୍ ପିଟ୍ରୋଡାଙ୍କୁ ଓଭରସିଜ କଂଗ୍ରେସର ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଗାନ୍ଧୀ ପରିବାରର ଖାସ ନେତା ଭାବେ ଜଣାଶୁଣା ସାମ ପିଟ୍ରୋଡା, ଲୋକସଭା ନିର୍ବାଚନ ସମୟରେ ବର୍ଣ୍ଣବାଦକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ବିବାଦ ଦେଖାଦେବାରୁ ସେ ଇସ୍ତଫା ଦେଇଥିଲେ | ତେବେ ଆଜି ପୁଣି କଂଗ୍ରେସ ତାଙ୍କୁ ଆପଣାଇନେଇଛି ଓ ଓଭରସିଜ କଂଗ୍ରେସର ଅଧ୍ୟକ୍ଷ ପଦ ଦେଇଛି | ଓଭରସିଜ କଂଗ୍ରେସ ଅଧ୍ୟକ୍ଷ ଭାବେ ସାମଙ୍କୁ ଦାୟିତ୍ୱ ଦିଆଯିବା ପରେ ଓଭରସିଜ କଂଗ୍ରେସ ସଚିବ ବିରେନ୍ଦ୍ର ବଶିଷ୍ଠ କହିଛନ୍ତି, “ସାମ ଭାରତରେ ସଂଚାର ବିପ୍ଳବର ପିତା ଏବଂ ନିର୍ବାଚନରେ ଲାଭ ପାଇଁ ବିଜେପି ତାଙ୍କ ବିବୃତ୍ତିକୁ ଭୁଲ ଭାବେ ଉପସ୍ଥାପନ କରିଥିଲା । ଯଦି କଂଗ୍ରେସ ନେତୃତ୍ୱ ପୁଣି ଥରେ ସାମ୍ ପିଟ୍ରୋଡାଙ୍କୁ ଓଭରସିଜ କଂଗ୍ରେସ ଦାୟିତ୍ୱ ଦେଇଛନ୍ତି, ତେବେ ପ୍ରବାସୀ ଭାରତୀୟମାନେ ବହୁତ ଖୁସି ହେବେ, କାରଣ ସାମ୍ ପିଟ୍ରୋଡା ଜଣେ ପ୍ରକୃତ ଗାନ୍ଧୀବାଦି ।

ଉଲ୍ଲେଖ ଥାଉ କି ଦି ଷ୍ଟେଟ୍ସମ୍ୟାନକୁ  ଦେଇଥିବା ଏକ ସାକ୍ଷାତକାରରେ ପିଟ୍ରୋଡା ଗଣତାନ୍ତ୍ରିକ ଉଦାହରଣ ଭାବରେ ଭାରତର ସ୍ଥିତି ବିଷୟରେ ଆଲୋଚନା କରିବା ବେଳେ କହିଥିଲେ ଯେ ଦେଶର ଲୋକମାନେ ୭୫ ବର୍ଷ ପର୍ଯ୍ୟନ୍ତ ବେଶ୍‌ ଖୁସିରେ ବଞ୍ଚିଯାଆନ୍ତି। ଆମେ ଭାରତ ଭଳି ବିବିଧ ଦେଶକୁ ଏକାଠି ରଖିପାରିବା। ଯେଉଁଠାରେ ପୂର୍ବର ଲୋକମାନେ ଚୀନର ଲୋକଙ୍କ ପରି, ପାଶ୍ଚାତ୍ୟର ଲୋକମାନେ ଆରବୀୟଙ୍କ ଭଳି ଦେଖାଯାଆନ୍ତି। ଉତ୍ତରର ଲୋକମାନେ ବୋଧହୁଏ ଧଳା ଏବଂ ଦକ୍ଷିଣର ଲୋକମାନେ ଆଫ୍ରିକୀୟଙ୍କ ପରି ଦେଖାଯାଆନ୍ତି। ଏଥିରେ କିଛି ଫରକ ପଡ଼ିବ ନାହିଁ। ସମସ୍ତେ ଭାଇ ଓ ଭଉଣୀ ଅଟନ୍ତି’’ ବୋଲି ସାକ୍ଷାତକାର ସମୟରେ ପିଟ୍ରୋଡା କହିଥିଲେ । ଏହି ମନ୍ତବ୍ୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟାର୍ଗେଟ କରି କହିଥିଲେ ଯେ ପିଟ୍ରୋଡା ଲୋକମାନଙ୍କୁ ସେମାନଙ୍କ ତ୍ବଚାର ରଂଗକୁ ନେଇ ଅପମାନିତ କରିଛନ୍ତି। ଏନେଇ ବିବାଦ ବଢିବା ପରେ ସେ ଇସ୍ତଫା ଦେଇଥିଲେ |

ସମ୍ବନ୍ଧିତ ଖବର