ରାହୁଲଙ୍କୁ ବିରୋଧୀ ଦଳ ନେତା କରିବାକୁ କଂଗ୍ରେସର ପ୍ରସ୍ତାବ

ସୋନିଆ ହେଲେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ବିରୋଧୀ ଦଳ ନେତା ନିଯୁକ୍ତ କରିବାପାଇଁ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ଆଜି ଏକ ପ୍ରସ୍ତାବ ଗୃହୀତ କରିଛି। ଆଜି ଦିଲ୍ଲୀର ଅଶୋକ ହୋଟେଲରେ ସିଡବ୍ଲ୍ୟୁସି ବୈଠକ ପରେ କଂଗ୍ରେସ ସାଂସଦ କୁମାରୀ ସେଲଜା କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳ ନେତା ନିର୍ବାଚିତ କରାଇବା ସିଡବ୍ଲ୍ୟୁସିର ଇଚ୍ଛା। ଏହା ସହିତ ଆଜି ସିଡବ୍ଲୁସି ବୈଠକରେ ସୋନିଆ ଗାନ୍ଧୀଙ୍କୁ ସର୍ବସମ୍ମତି କ୍ରମେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷ ନିର୍ବାଚିତ କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ତଥା‌ ଅଲପୁଝାରୁ ନବ ନିର୍ବାଚିତ ସାଂସଦ କେସି ବେଣୁଗୋପାଳ କହିଛନ୍ତି, ସିଡବ୍ଲ୍ୟୁସି ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ବିରୋଧୀ ଦଳ ନେତା ଦାୟିତ୍ବ ନେବାପାଇଁ ଅନୁରୋଧ କରିଛି। ସେହିପରି ସିଡବ୍ଲ୍ୟୁସି ରାହୁଲ ଗାନ୍ଧୀଙ୍କ ନିର୍ବାଚନ ପ୍ରଚାର ପାଇଁ ତାଙ୍କୁ ପ୍ରଶଂସା କରିଛି। ଉଲ୍ଲେଖଯୋଗ୍ୟ, ଆଜି ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ ହୋଇଥିଲା। ବୈଠକରେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ, କ‌ଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମନୀଷ ତିୱାରୀ, ଡିକେ ଶିବକୁମାର ଏବଂ ରେବାନ୍ତ ରେଡ୍ଡି ଯୋଗ ଦେଇଛନ୍ତି। ସିଡବ୍ଲ୍ୟୁସି ବୈଠକ ପରେ କଂଗ୍ରେସ ରାଜ୍ୟସଭା ସାଂସଦ ପ୍ରମୋଦ ତିୱାରୀ କହିଛନ୍ତି, ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳ ନେତା ହେବା ଉଚିତ।

ସମ୍ବନ୍ଧିତ ଖବର