ମାନହାନି ମାମଲାରେ ମେଧା ପାଟକରଙ୍କୁ ଦୋଷୀ ସାବ୍ୟସ୍ତ କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ଦ୍ୱାରା ଦାଏର ମାନହାନି ମାମଲାରେ ଦିଲ୍ଲୀର ଏକ ଅଦାଲତ ସାମାଜିକ କର୍ମୀ ତଥା ନର୍ମଦା ବଞ୍ଚାଓ ଆନ୍ଦୋଳନ ନେତ୍ରୀ ମେଧା ପାଟକରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସାକେତ କୋର୍ଟର ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ରାଘବ ଶର୍ମା ପାଟକରଙ୍କୁ ଆପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିବାରୁ ଆଇନ ଅନୁଯାୟୀ ତାଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ କିମ୍ବା ଜରିମାନା କିମ୍ବା ଉଭୟ ଦଣ୍ଡ ମିଳିପାରେ। ସୂଚନାଯୋଗ୍ୟ, ଉଭୟ ମେଧା ପାଟକର ଏବଂ ଭିକେ ସକ୍ସେନା ୨୦୨୦ ମସିହାରୁ ଆଇନଗତ ଲଢ଼େଇରେ ଫସି ରହିଛନ୍ତି। ନର୍ମଦା ବଞ୍ଚାଅ ଆନ୍ଦୋଳନ (ଏନ୍‌ବିଏ) ବିରୋଧରେ ସକ୍ସେନା ବିଜ୍ଞାପନ ପ୍ରକାଶ କରିଥିବାରୁ ତାଙ୍କ ବିରୋଧରେ ପାଟକର ପ୍ରଥମେ ମାମଲା ଦାଏର କରିଥିଲେ। ସାକ୍ସେନା ଅହମଦାବାଦ ସ୍ଥିତ ଏନ୍‌ଜିଓ ‘ନେସ୍‌ନାଲ କାଉନ୍‌ସିଲ ଫର୍‌ ସିଭିଲ ଲିବର୍ଟିଜ୍‌’ର ମୁଖ୍ୟ ଥିବା ବେଳେ ପାଟକରଙ୍କ ଆନ୍ଦୋଳନକୁ ଚ୍ୟାଲେଂଜ କରି ବିଜ୍ଞାପନ ଛାପିଥିଲେ। ଅନ୍ୟପକ୍ଷରେ ମେଧା ପାଟକର ଏକ ଟିଭି ଚ୍ୟାନେଲରେ ତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ଏବଂ ପ୍ରେସ୍ ବିବୃତି ଜାରି କରିବା ଅଭିଯୋଗରେ ସକ୍ସେନା ମାନହାନି ମାମଲା ରୁଜୁ କରିଥିଲେ। ମାନହାନି ମାମଲାରେ ଆଜି ପାଟକର ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର