ଧମକ ଦେଇ ଅର୍ଥ ଆଦାୟ!:ଭାରତୀୟ ଦୂତାବାସ ଫୋନ୍‌ର ଚୋରା ବ୍ୟବହାର

ନୂଆଦିଲ୍ଲୀ : ଆମେରିକାରେ ଭାରତୀୟ ଦୂତାବାସର ଟେଲିଫୋନ୍‌ ଲାଇନ୍‌କୁ କିଛି ଖଳ ପ୍ରବୃତ୍ତିର ବ୍ୟକ୍ତି ଚୋରାରେ ବ୍ୟବହାର କରି ଲୋକମାନଙ୍କୁ ଧମକ ଦେବା ସହ ଅର୍ଥ ଆଦାୟ କରୁଥିବା ଜଣାଯାଇଛି। ଏ ସମ୍ପର୍କରେ ଆଜି ଭାରତୀୟ ଦୂତାବାସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯିବା ସହ ଆମେରିକା ସରକାରଙ୍କୁ ମଧ୍ୟ ଅବଗତ କରାଯାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ କେହି ଧରାପଡ଼ିନାହାନ୍ତି। ଏପରି ଫୋନ୍‌ ବ୍ୟବହାରର ଜାଲିଆତି କରୁଥିବା ଦୁର୍ବୃତ୍ତମାନେ ଅଭିନବ ଉପାୟରେ ଠକାମି କରୁଥିବା ଜଣାଯାଇଛି। ସେଠାରେ ଥିବା ପ୍ରବାସୀ ଭାରତୀୟଙ୍କର ପାସ୍‌ପୋର୍ଟ, ଭିସା କିମ୍ବା ସ୍ଥାନାନ୍ତରୀକରଣ ଫର୍ମରେ କିଛି ତ୍ରୁଟି ଥିବା ଦର୍ଶାଇ ତାହାର ସଂଶୋଧନ ପାଇଁ ସେମାନେ ଟଙ୍କା ଦାବି କରୁଛନ୍ତି। ଟିକେ ବିଳମ୍ବ ହେଲେ ସେମାନଙ୍କୁ ଭାରତ ଫେରିବାକୁ ପଡ଼ିବ କିମ୍ବା ଆମେରିକାରେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଭୟ ଦେଖାଇ ବିପୁଳ ଅର୍ଥ ଆଦାୟ କରୁଥିବା ଭାରତୀୟ ଦୂତାବାସ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି। କିଛି ଭାରତୀୟ ଏପରି ଫୋନ୍‌ କଲ୍‌ ପାଇବା ପରେ ଦୂତାବାସରେ ଜଣାଇଥିଲେ। ସେ ସମ୍ରପର୍କରେ ସବିଶେଷ ତଥ୍ୟ ହାସଲ ପରେ ଦୂତାବାସର ଅଧିକାରୀମାନେ କୌଣସି ଭାରତୀୟ କିମ୍ବା ବିଦେଶୀ ନାଗରିକଙ୍କୁ ଫୋନ୍‌ କରୁନାହାନ୍ତି କି ବ୍ୟକ୍ତିଗତ ଖବର ସଂଗ୍ରହ କରୁନାହାନ୍ତି ବୋଲି ଜଣାଇଛନ୍ତି।

ସମ୍ବନ୍ଧିତ ଖବର