ଦିଲ୍ଲୀ କ୍ୟାଣ୍ଟନ୍‌ମେଣ୍ଟ୍‌ରୁ ବହି ଚୋରି କରି ପୂର୍ବତନ ସେନା ଅଧିକାରୀ ଗିରଫ

ନୂଆଦିଲ୍ଲୀ: ଚୋରି ଅଭିଯୋଗ ଏବଂ ଗୁପ୍ତଚରଗିରି ସନ୍ଦେହରେ ମୁକେଶ ଅରୋରା ନାମକ ଜଣେ ପୂର୍ବତନ ଭାରତୀୟ ସେନା ଅଧିକାରୀଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଥିବା କଥା ଶନିବାର ଦିନ କହିଛି।

ଶୁକ୍ରବାର ରାତିରେ ଦିଲ୍ଲୀ କ୍ୟାଣ୍ଟନ୍‌ମେଣ୍ଟ୍‌ ଅଞ୍ଚଳର ମାନେକସ ସେଣ୍ଟର୍‌ରୁ ବହି ଚୋରାଉଥିବା ବେଳେ ସେ ୬୪ ବର୍ଷିୟ ବ୍ୟକ୍ତିଜଣକ ଧରାପଡ଼ି ହାଜତକୁ ଯାଇଥିବା କଥା ପୁଲିସ କହିଛି।

ପୁଲିସ କହିବା ଅନୁସାରେ, ଜଣେ କର୍ଣ୍ଣେଲ୍‌ ବୋଲି ପରିଚୟ ଦେଇ ମୁକେଶ ଅରୋରା ମାନେକସ ଲାଇବ୍ରେରିରେ ପଶିଥିଲେ। ଆଠ ଖଣ୍ଡ ବହି ଚୋରି କରି ଫେରୁଥିବା ବେଳେ ସେନା ଅଧିକାରୀମାନେ ତାଙ୍କୁ ଗିରଫ କରି ପୁଲିସକୁ ହସ୍ତାନ୍ତର କରିଥିଲେ।

Representative Image

ସେନା ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ସମ୍ପ୍ରତି କାନାଡାରେ ରହୁଥିବା ମୁକେଶ ଅରୋରା ବିଦେଶୀ ଏଜେନ୍‌ସିଙ୍କ ପାଇଁ ଗୁପ୍ତଚରଗିରି କରୁଛନ୍ତି। ଥାନା ହାଜତରେ ପୂର୍ବତନ ସେନା ଅଧିକାରୀଙ୍କୁ ଗୁଇନ୍ଦା ବ୍ୟୁରୋ ଏବଂ ଦିଲ୍ଲୀ ପୁଲିସର ସ୍ପେସାଲ୍‌ ସେଲ୍‌ ପଚରାଉଚୁରା କରିଛନ୍ତି।

ସେ ଜଣେ ଗୁପ୍ତଚର କି, ନହିଁ ଦିଲ୍ଲୀ ପୁଲିସ ଓ ଅନ୍ୟାନ୍ୟ ଏଜେନ୍‌ସିମାନେ ତଦନ୍ତ କରୁଥିଲେ ବି ଏ ପର୍ଯ୍ୟନ୍ତ କୌଣସି ପ୍ରମାଣ ପାଇ ନାହାନ୍ତି।
ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡାର ନାଗରିକତ୍ୱ ହାସଲ କରିଥିବା ମୁକେଶ ଅରୋରା ପୁଲିସକୁ କହିଛନ୍ତି ଯେ ସେ ଦିଲ୍ଲୀର ବସନ୍ତକୁଞ୍ଜ ଅଞ୍ଚଳରେ ରହୁଛନ୍ତି। ମନ୍ଦ ଆଚରଣ କରିଥିବା ଯୋଗୁଁ ତାଙ୍କୁ ସେନାରୁ ବହିଷ୍କାର କରାଯାଇଥିଲା। ଏକଥାକୁ ମଧ୍ୟ ପୁଲିସ ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର