ଆଗକୁ ଇ-ମୋଡରେ ହେବ ଜନଗଣନା: ଅମିତ ଶାହା

ନୂଆଦିଲ୍ଲୀ: ଜନଗଣନାକୁ ଆହୁରି ସହଜ ଓ ସ୍ବଚ୍ଛ କରିବା ପାଇଁ ଗୃହ ମନ୍ତ୍ରାଳୟ ଆଧୁନିକ ଜ୍ଞାନକୌଶଳ ଆପଣାଇବାକୁ ନିଷ୍ପତ୍ତି ନେଇଛି। ସୋମବାର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ପରବର୍ତ୍ତୀ ଜନଗଣନା ଇ-ଜନଗଣନା ହେବ, ଯାହା ଅଧୀନରେ ସମ୍ପୂର୍ଣ୍ଣ ଜନଗଣନା କରାଯାଇପାରିବ ଏବଂ ତାହା ୧୦୦% ସଠିକ୍ ହେବ। ଜନଗଣନା ଅପରେସନ୍ସର ଆସାମ ନିର୍ଦ୍ଦେଶାଳୟର କାର୍ଯ୍ୟାଳୟ ଭବନକୁ ଉଦଘାଟନ କରିବା ପାଇଁ ଗୌହାଟିର ଆମିଗାଓଁରେ ପହଞ୍ଚିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦେଶର ବିକାଶରେ ଉନ୍ନତ ଯୋଜନା ପାଇଁ ଉପଯୁକ୍ତ ଜନଗଣନା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ସେ କହିଛନ୍ତି ଯେ, ପରବର୍ତ୍ତୀ ଜନଗଣନା ଇ-ମୋଡରେ ହେବ ଏବଂ ଏହା ଶତପ୍ରତିଶତ ସ୍ବଚ୍ଛ ହେବ। ଏହାକୁ ଆଧାର କରି ଆସନ୍ତା ୨୫ ବର୍ଷ ପାଇଁ ଦେଶର ବିକାଶ ଯୋଜନା ପ୍ରସ୍ତୁତ ହେବ। ଗୃହମନ୍ତ୍ରୀ ଆହୁରି କହିଛନ୍ତି ଯେ ଜନ୍ମ ପରେ ସବିଶେଷ ତଥ୍ୟ ଜନଗଣନା ରେଜିଷ୍ଟରରେ ଯୋଡାଯିବ । ଏହା ସହ ୧୮ ବର୍ଷ ବୟସ ପରେ ଏହି ନାଁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବ ଏବଂ ମୃତ୍ୟୁ ପରେ ନାଁ ଆପେ ଆପେ କଟିଯିବ। ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଇ-ମୋଡରେ ଜନଗଣନା କରାଗଲେ ନାଁ/ ଠିକଣା ବଦଳାଇବା ସହଜ ହେବ।

ସମ୍ବନ୍ଧିତ ଖବର