ଲଗାତାର ଷଷ୍ଠ ଥର ପାଇଁ ଇନ୍ଦୋର ଦେଶର ସର୍ବାଧିକ ସ୍ବଚ୍ଛ ସହର

ନୂଆଦିଲ୍ଲୀ : ଲଗାତାର ଷଷ୍ଠ ଥର ପାଇଁ ଇନ୍ଦୋରକୁ ସର୍ବାଧିକ ସ୍ବଚ୍ଛ ସହର ଘୋଷଣା କରାଯାଇଛି। ସୁରଟ ଲଗାତାର ତୃତୀୟ ଥର ପାଇଁ ଦ୍ବିତୀୟ ସର୍ବାଧିକ ସ୍ବଚ୍ଛ ସହର ଘୋଷିତ ହୋଇଛି। ୨୦୨୦ରୁ ସୁରଟ ଲଗାତାର ଦ୍ବିତୀୟ ସର୍ବାଧିକ ସ୍ବଚ୍ଛ ସହର ଘୋଷିତ ହୋଇ ଆସିଛି। ନାଭି ମୁମ୍ବାଇ ତୃତୀୟ ସର୍ବାଧିକ ସ୍ବଚ୍ଛ ସହର। ଅନ୍ୟପକ୍ଷେ ଏନ୍‌ଡିଏମ୍‌ସି ( ନୂଆଦିଲ୍ଲୀ ପୌର ପରିଷଦ) ୨୦୨୨ରେ ସର୍ବାଧିକ ସ୍ବଚ୍ଛ ସହର ରୢାଙ୍କିଙ୍ଗ୍‌ର ନବମ ସ୍ଥାନରେ ରହିଛି। ଗତବର୍ଷ ନୂଆଦିଲ୍ଲୀ ପଞ୍ଚମ ସର୍ବାଧିକ ସ୍ବଚ୍ଛ ସହର ଘୋଷିତ ହୋଇଥିବା ବେଳେ ୨୦୨୦ରେ ଅଷ୍ଟମ ସର୍ବାଧିକ ସ୍ବଚ୍ଛ ସହର ଘୋଷିତ ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ୨୦୨୨ ବର୍ଷ ପାଇଁ ସ୍ବଚ୍ଛତା ପାରାମିଟର ଉପରେ ୟୁଏଲ୍‌ବି (ଅର୍ବାନ ଲୋକାଲ ବଡିଜ୍‌) ରୢାଙ୍କିଂ ଜାରି କରିଛନ୍ତି। ଜାରି ହୋଇଥିବା ନୂଆ ୟୁଏଲ୍‌ବି ରୢାଙ୍କିଙ୍ଗ୍‌ରେ ଏନ୍‌ସିଆର ସହର ନଏଡ଼ା ଏକାଦଶ ସ୍ଥାନରେ ରହିଛି। ତେବେ ୨୦୨୧ ସର୍ଭେ ରିପୋର୍ଟରେ ନଏଡ଼ା ନବମ ସ୍ଥାନରେ ଥିଲା।

୨୦୨୨ ସର୍ଭେରେ ୯୧ଟି ଗଙ୍ଗା ସହର, ୬୨ କ୍ୟାଣ୍ଟନମେଣ୍ଟ୍‌ ବୋର୍ଡ ସମେତ ୪,୩୫୪ ୟୁଏଲ୍‌ବି ଅନ୍ତର୍ଭୁକ୍ତ। ଗଙ୍ଗା ତଟରେ ଥିବା ସହରମାନଙ୍କ ମଧ୍ୟରେ ହରିଦ୍ବାର ସର୍ବାଧିକ ସ୍ବଚ୍ଛ ସହର ଥିବା ବେଳେ ଏହା ପଛକୁ ବାରଣାସୀ ଏବଂ ଋଷିକେଶ ରହିଛି। ୨୦୧୬ରେ ହୋଇଥିବା ପ୍ରଥମ ସଂସ୍କରଣ ସ୍ବଚ୍ଛ ସର୍ବେକ୍ଷଣରେ ମାତ୍ର ୭୩ ୟୁଏଲ୍‌ବି ସାମିଲ ଥିଲେ। ୬୧ କ୍ୟାଣ୍ଟନମେଣ୍ଟ ବୋର୍ଡ ମଧ୍ୟରୁ ମହାରାଷ୍ଟ୍ରର ଦେଓଲାଲି ସର୍ବାଧିକ ସ୍ବଚ୍ଛ ସହର। ଏହାପରେ ଅହମଦାବାଦ ଏବଂ ମଧ୍ୟପ୍ରଦେଶର ମହୋ ରହିଛି। ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବୋର୍ଡ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ସ୍ବଚ୍ଛ ସର୍ବେକ୍ଷଣର ମୂଳ ଲକ୍ଷ୍ୟ ହେଉଛି ସହରମାନଙ୍କର ସ୍ବଚ୍ଛତା ସ୍ତର ପରୀକ୍ଷା କରିବା। ପ୍ରଥମ ଥର ସ‌ର୍ବେକ୍ଷଣ ପାଇଁ ସିଟିଜେନ୍‌ ରିପୋର୍ଟ କାର୍ଡ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର