ରାଫା ଆକ୍ରମଣ ଆହୁରି ତୀବ୍ର କଲା ଇସ୍ରାଏଲ

ତେଲ୍‌ ଅଭିଭ୍‌: ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ୍‌ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣ ପରେ ସୃଷ୍ଟି ହୋଇଥିବା ଯୁଦ୍ଧରେ ଅସ୍ତ୍ରବିରତି ପାଇଁ ଚାଲିଥିବା ଉଦ୍ୟମ ବାରମ୍ବାର ଭଣ୍ଡୁର ହେବାରେ ଲାଗିଛି। ଏଥିପାଇଁ ପ୍ୟାରିସରେ ଉଦ୍ୟମ ଚାଲିଥିବା ବେଳେ ହେଗ୍‌ ସ୍ଥିତ ଜାତିସଂଘର ସର୍ବୋଚ୍ଚ ଅଦାଲତ ଗାଜାର ଦକ୍ଷିଣ ସହର ରାଫାରେ ସାମରିକ ଅଭିଯାନ ବନ୍ଦ କରିବାକୁ ଦେଇଥିବା ନିର୍ଦ୍ଦେଶକୁ ଇସ୍ରାଏଲ ବେଖାତିର କରିଛି ।

ରାଫା ଉପରେ ଆଜି ଆକ୍ରମଣ ଆହୁରି ପ୍ରଚଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେ) ରାୟ ଦେବାର ଗୋଟିଏ ଦିନ ପରେ ଇସ୍ରାଏଲ ଆଜି ରାଫା ସମେତ ଗାଜା ଷ୍ଟ୍ରିପ୍ ଉପରେ ତୁହାକୁ ତୁହା ବୋମା ମାଡ଼ କରିଛି। ଇସ୍ରାଏଲ ସେନା ଉତ୍ତର ଗାଜାରୁ ଆଉ ୩ ଜଣ ବନ୍ଦୀଙ୍କ ମୃତଦେହ ଉଦ୍ଧାର କରିବା ପରେ ଆକ୍ରମଣ ବ୍ୟାପକ ହୋଇଥିବା ପାଲେଷ୍ଟାଇନ କର୍ତ୍ତୃପକ୍ଷ କହିଛନ୍ତି। ଆଇସିଜେ ରାୟକୁ ନେଇ ଇସ୍ରାଏଲ ରାଫାରେ ଆଭିମୁଖ୍ୟ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ନଥିବା ବେଳେ ସମଗ୍ର ଗାଜାକୁ ଛାରଖାର କରିଦେବା ଲକ୍ଷ୍ୟରେ ଅଗ୍ରସର ହେଉଛି।

ସମ୍ବନ୍ଧିତ ଖବର