ମୋଦୀଙ୍କୁ ଚିଠି ଲେଖିଲେ ଖଡ଼ଗେ, ମିଛ ବୟାନ ଦିଅନାହିଁ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ପାଇଁ ଗତକାଲି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୬ତାରିଖରେ ୧୩ଟି ରାଜ୍ୟର ୮୯ଟି ଆସନରେ ମତଦାନ ହେବ। ତେବେ ଦେଶରେ ଏବେ ନିର୍ବାଚନ ମାହୋଲ ଥିବାବେଳେ ବିଭିନ୍ନ ଦଳ ପରସ୍ପର ବିରୋଧରେ ବୟାନବାଜି କରୁଛନ୍ତି | ବିଶେଷ କରି ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି | ଏହାରି ଭିତରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠି ମାଧ୍ୟମରେ ସେ କହିଛନ୍ତି – କଂଗ୍ରେସର ନିର୍ବାଚନୀ ଇସ୍ତାହାର ‘ନ୍ୟାୟପତ୍ର’ର ବାସ୍ତବତାକୁ ବୁଝାଇବା ପାଇଁ ମୁଁ ଆପଣଙ୍କୁ ଭେଟିବି | ନ୍ୟାୟ ପତ୍ରରେ କଣ ସବୁ ଲେଖାଯାଇଛି ମୁଁ ଆପଣଙ୍କୁ ବୁଝାଇବି | ଯାହାଦ୍ୱାରା ଆପଣ କୌଣସି ମିଛ ବୟାନ ଦେବେ ନାହିଁ |

ଏହି ଚିଠିରେ କୁହାଯାଇଛି – ଆଜି ଆପଣ ଗରିବ ଏବଂ ପଛୁଆ ବର୍ଗର ମହିଳାଙ୍କ ମଙ୍ଗଲସୁତ୍ର ବିଷୟରେ କହୁଛନ୍ତି। ମଣିପୁରରେ ମହିଳା ଏବଂ ଦଳିତ ଝିଅମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଏବଂ ଦୁଷ୍କର୍ମକାରୀଙ୍କୁ ସମ୍ମାନିତ କରିବା ପାଇଁ ଆପଣଙ୍କର ସରକାର ଦାୟୀ ନୁହେଁ କି? ଯେତେବେଳେ ତୁମର ସରକାର ସମୟରେ କୃଷକମାନେ ଆତ୍ମହତ୍ୟା କରୁଥିଲେ, ତୁମେ ସେମାନଙ୍କ ପତ୍ନୀ ଏବଂ ପିଲାମାନଙ୍କୁ କିପରି ସୁରକ୍ଷା ଦେଉଥିଲ? ଦୟାକରି ନ୍ୟାୟ ପତ୍ରକୁ ଥରେ ପଢନ୍ତୁ, ଯାହା ଆମେ କ୍ଷମତାକୁ ଆସିବା ପରେ କାର୍ଯ୍ୟକାରୀ ହେବ |ଏପ୍ରିଲ ୧୯ତାରିଖରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରାୟ ୬୪ ପ୍ରତିଶତ ମତଦାନ ହୋଇଥିଲା। ଚଳିତ ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି। ଜୁନ୍ ପହିଲାରେ ଶେଷ ପର୍ଯ୍ୟାୟ ମତଦାନ ହେବ ଏବଂ ଜୁନ୍ ୪ତାରିଖରେ ଭୋଟ ଗଣତି ହେବ।

ସମ୍ବନ୍ଧିତ ଖବର