ପ୍ରଶ୍ନପତ୍ର ଲିକ୍ ଯୋଗୁ ମେଡିକାଲ ପ୍ରବେଶିକା ପରୀକ୍ଷା-୨୦୧୫ ବାତିଲ ହୋଇଥିଲା

୧୫ରୁ ୨୦ ଲକ୍ଷ ଟଙ୍କା ବଦଳରେ ପ୍ରଶ୍ନପତ୍ର ଓ ଉତ୍ତର କୀ ଲିକ୍‌ ହୋଇଥିଲା

ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ଲିକ୍ ନେଇ ଏବେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ପ୍ରଭାବିତ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ସହ ବୁଝାମଣା କରାଯିବ ନାହିଁ ଏବଂ ପରୀକ୍ଷା ବିଫଳତାରେ ସମ୍ପୃକ୍ତ କୌଣସି ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘୋଷଣା ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଆଶ୍ବସ୍ତି ଆଣିଥିଲେ ମଧ୍ୟ ପରୀକ୍ଷା ବିଭ୍ରାଟକୁ ନେଇ ହଇଚଇ ଲାଗି ରହିଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳିତ ନିଟ୍-ୟୁଜି ଏବଂ ୟୁଜିସି-ନେଟ୍ ପରୀକ୍ଷାରେ ପେପର ଲିକ୍ ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ୨୦୧୫ରେ ମଧ୍ୟ ପ୍ରଶ୍ନପତ୍ର ପ୍ରଘଟ କାରଣରୁ ମେଡିକାଲ ପ୍ରବେଶିକା ପରୀକ୍ଷା ବାତିଲ ହୋଇଥିଲା। ପୂର୍ବରୁ ସର୍ବଭାରତୀୟ ପ୍ରି-ମେଡିକାଲ ଟେଷ୍ଟ (ଏଆଇପିଏମ୍‌ଟି) କୁହାଯାଉଥିବା ମେଡିକାଲ ପ୍ରବେଶିକା ପରୀକ୍ଷା ୨୦୧୫ର ପ୍ରଶ୍ନପତ୍ର ଲିକ୍ ହେବା ମଧ୍ୟ ବହୁତ ବଡ଼ ଝଟ୍‌କା ଥିଲା। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଏଆଇପିଏମ୍‌ଟିକୁ ବାତିଲ କରାଯାଇଥିଲା।

୨୦୧୫ ମେ’ ୩ ତାରିଖରେ ୧୦୫୦ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ଏବଂ ଜୁନ୍ ୧୫ରେ କୋର୍ଟ ତାଙ୍କ ରାୟରେ ଏହାକୁ ବାତିଲ କରିଥିଲେ। ପରୀକ୍ଷା ପୁନଃ ଆୟୋଜନ ଓ ଫଳାଫଳ ଘୋଷଣା କରିବାକୁ କୋର୍ଟ ସିବିଏସ୍ଇକୁ ୪ ସପ୍ତାହ ସମୟ ଦେଇଥିଲେ। ଏଆଇପିଏମ୍‌ଟିର ସମଗ୍ର ଆଚରଣ ପ୍ରତି ସୁପ୍ରିମ୍‌କୋର୍ଟ ପ୍ରଶ୍ନ ଉଠାଇବା ସହ ଏହା ଅଯଥା ଆର୍ଥିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବା ହାତଗଣତି ତତ୍ତ୍ୱଙ୍କ ଦ୍ୱାରା ବିଫଳ ହେବାରେ ଲାଗିଛି ବୋଲି ଦର୍ଶାଇ ରାୟ ଘୋଷଣା କରିଥିଲେ।

୧୦ଟି ରାଜ୍ୟରେ ଇଲେକ୍ଟ୍ରୋନିକ୍ ଡିଭାଇସ୍ ମାଧ୍ୟମରେ ପ୍ରଶ୍ନପତ୍ର ଓ ଉତ୍ତର କୀ ପ୍ରସାରିତ ହୋଇଥିବା ତଦନ୍ତରୁ ଜଣାପଡ଼ିବା ପରେ ପରୀକ୍ଷା ବାତିଲ କରାଯାଇଥିଲା। ୫୦ଟି ସହରର ୧୦୬୫ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୨୦୧୫ରେ ଏଆଇପିଏମ୍‌ଟି ପାଇଁ ମୋଟ ୬,୩୨,୬୨୫ ଜଣ ପ୍ରାର୍ଥୀ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୪,୨୨,୮୫୯ ଜଣ ପରୀକ୍ଷାର୍ଥୀ ଆଡମିଟ୍ କାର୍ଡ ଡାଉନଲୋଡ୍ କରିଥିଲେ।
ଏକ ରିପୋର୍ଟ ଅନୁଯାୟୀ, ୧୫ରୁ ୨୦ ଲକ୍ଷ ଟଙ୍କା ବଦଳରେ ପରୀକ୍ଷାର୍ଥୀଙ୍କୁ ପ୍ରାୟ ୯୦ଟି ଉତ୍ତର କୀ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଲିକ୍ କରାଯାଇଥିଲା। ଏହି ମାମଲାରେ ୧୦ରୁ ଅଧିକ ବ୍ୟକ୍ତି ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର