ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ନେଇ ମୋଦୀ-ବୋରିସ୍‌ ଆଲୋଚନା: ତୁରନ୍ତ ଯୁଦ୍ଧବିରତି ପାଇଁ ପ୍ରସ୍ତାବ

ଭାରତ-ରୁଷ୍‌ ସଂପର୍କ ଐତିହାସିକ ଏବଂ ଏହାକୁ ସମସ୍ତେ ସମ୍ମାନ ଦିଅନ୍ତି: ବୋରିସ୍‌

ନୂଆଦିଲ୍ଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ଗସ୍ତରେ ଥିବା ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ସହ ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ ସ୍ଥିତି ନେଇ ଆଲୋଚନା କରିଛନ୍ତି। ସେଠାରେ ତୁରନ୍ତ ଯୁଦ୍ଧବିରତି ଲାଗୁ ସହ କୂଟନୈତିକ ପ୍ରୟାସ ମାଧ୍ୟମରେ ସମାଧାନର ରାସ୍ତା ବାହାର କରିବାକୁ ଉଭୟ ନେତା ଗୁରୁତ୍ବାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବୋରିସ୍‌ଙ୍କ ମଧ୍ୟରେ ବିଭିନ୍ନ ଦ୍ବିପାକ୍ଷିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା ହେବାପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତ ଏବଂ ବ୍ରିଟେନ୍‌ ସବୁ ଦେଶର ଆଞ୍ଚଳିକ ଅଖଣ୍ଡତା ସ ସାର୍ବଭୌମତ୍ବକୁ ସମ୍ମାନ ଦିଅନ୍ତି। ୟୁକ୍ରେନ୍‌ରେ ତୁରନ୍ତ ଯୁଦ୍ଧବିରତି ସହ ସମସ୍ୟା ସାମଧାନ ପାଇଁ କୂଟନୈତିକ ପ୍ରୟାସ ଆରମ୍ଭ କରିବାକୁ ମୋଦୀ କହିଥିଲେ। ଆଫଗାନିସ୍ତାନ ପ୍ରସଙ୍ଗରେ ମୋଦୀ କହିଥିଲେ ଯେ ଆଫଗାନ୍‌ ମାଟିକୁ ଅନ୍ୟ ରାଷ୍ଟ୍ର ବିରୋଧରେ ଆତଙ୍କବାଦର ପ୍ରସାର ପାଇଁ ବ୍ୟବହାର ହେବାକୁ ଦିଆଯିବା ଉଚିତ ନୁହେଁ। ବୋରିସ୍‌ ଜନ୍‌ସନଙ୍କ ଭାରତ ଗସ୍ତକୁ ପ୍ରଧାନମନ୍ତ୍ରୀ ମୋଦୀ ଏତିହାସିକ ବୋଲି କହିବା ସହ ଦୁଇ ଦେଶର ସଂପର୍କ ସୁଦୃଢ଼ ହେବା ପଛରେ ବୋରିସ୍‌ଙ୍କ ଭୂମିକା ଅତ୍ୟନ୍ତ ଗରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ।

ବିଭିନ୍ନ କ୍ଷେତ୍ରରେ ଭାରତର ଉପଲବ୍ଧି ଏବଂ ବିଗତ କିଛି ବର୍ଷ ମଧ୍ୟରେ ଭାରତ-ବ୍ରିଟେନ୍‌ ସୁଦୃଢ଼ ସଂପର୍କ ନେଇ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ଆଲୋକପାତ କରିଥିଲେ। ଭାରତ ଏକ ମହାନ ଗଣତନ୍ତ୍ର ଏବଂ ଏହା ସାମ୍ବିଧାନିକ ସୁରକ୍ଷା ଦ୍ବାରା ସୁରକ୍ଷିତ ବୋଲି ସେ କହିଥିଲେ। ଭାରତର ପ୍ରତିରକ୍ଷା ଶିଳ୍ପକୁ ସୁଦୃଢ଼ ଓ ଆତ୍ମନିର୍ଭର କରିବା ପାଇଁ ବ୍ରିଟେନ୍‌ ସବୁ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଏ ନେଇ ଦୁଇ ଦେଶ ମଧ୍ୟରେ ଚୁକ୍ତି ସଂପନ୍ନ ହୋଇଛି ବୋଲି ବୋରିସ୍‌ କହିଥିଲେ। ଭାରତ-ରୁଷ୍‌ ସଂପର୍କ ନେଇ ସେ କହିଥିଲେ ଯେ ଦୁଇ ଦେଶର ସଂପର୍କ ଐତିହାସିକ ଏବଂ ଏହାକୁ ସ‌ମସ୍ତେ ସମ୍ମାନ ଦିଅନ୍ତି। ଖଲିସ୍ତାନୀ ଆତଙ୍କବାଦୀଙ୍କ ସଂପର୍କରେ ବୋରିସ୍‌ କହିଥିଲେ ଯେ ବ୍ରିଟେନ୍‌ ଏଭଳି ଆତଙ୍କବାଦୀଙ୍କୁ କଦାପି ବରଦାସ୍ତ କରିବ ନାହିଁ ଏବଂ ବ୍ରିଟେନ୍‌ ମାଟିକୁ ଅନ୍ୟ ରାଷ୍ଟ୍ର ବିରୋଧରେ ଷଡ଼ଯନ୍ତ୍ର ପାଇଁ ବ୍ୟବହାର ହେବାକୁ ଦେବନାହିଁ।

ସମ୍ବନ୍ଧିତ ଖବର