ଜମ୍ମୁ ଏନ୍‌କାଉଣ୍ଟର୍‌: ୨ ଆତଙ୍କବାଦୀ ନିପାତ, ଯବାନ ସହିଦ

ମୋଦୀଙ୍କ କାଶ୍ମୀର ଗସ୍ତ ଭଣ୍ଡୁର ପାଇଁ ବଡ଼ ଷଡ଼ଯନ୍ତ୍ର, ଆତ୍ମଘା‌ତୀ ଆକ୍ରମଣ ଯୋଜନା ହୋଇଥିଲା

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଏକ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ ଯୋଜନା ପଣ୍ଡ ହୋଇଛି। ଆସନ୍ତା ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜମ୍ମୁ କାଶ୍ମୀର ଗସ୍ତ ଥିବାବେଳେ ଏହା ପୂର୍ବରୁ ଆତଙ୍କବାଦୀମାନେ ଏକ ବଡ଼ ଧରଣର ଆକ୍ରମଣ ଯୋଜନା କରିଥିଲେ। ସେମାନେ ମୋଦୀଙ୍କ ଗସ୍ତ ଭଣ୍ଡୁର କରିବାପାଇଁ ଷଡ଼ଯନ୍ତ୍ର କରିଥିଲେ। କିନ୍ତୁ ସୁରକ୍ଷାକର୍ମୀମା‌ନେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା ପଣ୍ଡ କରିଦେଇଛନ୍ତି। ଜମ୍ମୁରେ ଆଜି ଏକ ସେନା ପ୍ରତିଷ୍ଠାନ ନିକଟରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ ହୋଇ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏନ୍‌କାଉଣ୍ଟରରେ ଜଣେ ସୁରକ୍ଷା ଅଧିକାରୀ ସହିଦ ହୋଇଛନ୍ତି ଏବଂ ଅନ୍ୟ ୯ ଜଣ ଆହତ ହୋଇଛନ୍ତି। ଜମ୍ମୁ ସହରର ସୁଂଜୱାନ କ୍ୟାଣ୍ଟନମେଣ୍ଟ୍‌ ଅଞ୍ଚଳରେ ଏନ୍‌କାଉଣ୍ଟର୍‌ ହୋଇଥିଲା। ସହରରେ ଆକ୍ରମଣ ହେବା ନେଇ ପୁଲିସ ପାଖରେ ସୂଚନା ଥିଲା। ତେଣୁ ସୁରକ୍ଷାକର୍ମୀମାନେ ଆଗୁଆ ସତର୍କ ଥିଲେ। ସିଆଇଏସଏଫ୍‌ ଅନୁଯାୟୀ ଆତଙ୍କବାଦୀମାନେ ସିଆଇଏସଏଫ୍‌ର ଏକ ବସ୍‌କୁ ଟାର୍ଗେଟ୍‌ କରିଥିଲେ।

୧୫ ଯବାନଙ୍କୁ ଧରି ଯାଉଥିବା ଏକ ବସ୍‌ ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ କରିଥି‌ଲେ। କିନ୍ତୁ ସୁରକ୍ଷାକର୍ମୀ ଏହି ଆକ୍ରମଣକୁ ସଫଳ ହେବାକୁ ଦେଇନଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା କାର୍ଯ୍ୟାନୁଷ୍ଠାନ ଯୋଗୁଁ ଆତଙ୍କବାଦୀମାନେ ସ୍ଥାନ ଛାଡ଼ି ପଳାଇଥିଲେ। ଆତଙ୍କବାଦୀଙ୍କ ନିକଟରୁ ଆତ୍ମଘାତୀ ଜା‌କେଟ୍‌ ଏବଂ ୨ଟି ଏକେ-୪୭ ରାଇଫଲ୍‌, ଅଣ୍ଡର ବ୍ୟାରେଲ୍‌ ଗ୍ରେନେଡ୍‌ ଲଞ୍ଚର ଏବଂ ଏକ ସାଟେଲାଇଟ୍‌ ଫୋନ୍‌ ଜବତ ହୋଇଛି। ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀଙ୍କ ଜମ୍ମୁ କାଶ୍ମୀର ଗସ୍ତ ପୂର୍ବରୁ ପାକିସ୍ତାନର ଜେଇଏମ୍‌ (ଜଏସ ଏ ମହମ୍ମଦ) ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ ଯୋଜନା କରିଛନ୍ତି। ମୋଦୀଙ୍କ ଜମ୍ମୁ ଗସ୍ତ ଭଣ୍ଡୁର କରିବାପାଇଁ ଏହା ଏକ ବଡ଼ ଷଡ଼ଯନ୍ତ୍ର ଥିଲା ବୋଲି ଜମ୍ମୁ କାଶ୍ମୀର ପୁଲିସ ମୁଖ୍ୟ ଦିଲ୍‌ବାଗ ସିଂହ କହିଛନ୍ତି।

ଏଡିଜିପି ମୁକେଶ ସିଂହ କହିଛନ୍ତି, ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରିବା ସହ ଏକ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ ପଣ୍ଡ କରାଯାଇଛି। ଆତଙ୍କବାଦୀଙ୍କ ନିକଟରେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଥିଲା। ତେଣୁ ସେମାନେ ବଡ଼ ଆକ୍ରମଣ ଯୋଜନା କରିଥିଲେ ବୋଲି କୁହାଯାଉଛି। ପ୍ରାଥମିକ ତଦନ୍ତ ଅନୁଯାୟୀ ଉକ୍ତ ୨ ଆତଙ୍କବାଦୀ ସାମ୍ବା ଜିଲ୍ଲା ଦେଇ ଜମ୍ମୁ କାଶ୍ମୀରକୁ ଅନୁପ୍ରବେଶ କରିଥିଲେ ଏବଂ ସେମାନେ ସେନ‌ା ଶିବିର ନିକଟସ୍ଥ ଏକ ଅଞ୍ଚଳରେ ରହୁଥିଲେ। ଉଲ୍ଲେଖଯୋଗ୍ୟ ଯେ ମୋଦୀ ଆସନ୍ତା ୨୪ ତାରିଖରେ ସାମ୍ବାର ପଲି ଗ୍ରାମ ଗସ୍ତ କରିବେ। ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବାପରେ ଏହା ମୋଦୀଙ୍କ ପ୍ରଥମ ଜମ୍ମୁ କାଶ୍ମୀର ଗସ୍ତ।

ସମ୍ବନ୍ଧିତ ଖବର