ମୁମ୍ବାଇ ରସାୟନ କାରଖାନାରେ ବିସ୍ଫୋରଣ, ୮ ମୃତ: ୭୦ କର୍ମଚାରୀ ଉଦ୍ଧାର, ୪୮ ଆହତ

ମୁମ୍ବାଇ: ମୁମ୍ବାଇ ଡୋମ୍ବିଭିଲି ଠାରେ ଏକ ରସାୟନ କାରଖାନାରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଯୋଗୁଁ ୮ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୪୦ରୁ ଅଧିକ ଆହତ ହୋଇଛନ୍ତି। କାରଖାନାର ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ଆଖପାଖର ଅନେକ କୋଠାର କାଚ ଝରକା ଭାଙ୍ଗିଯିବା ସହ ଘରଗୁଡ଼ିକ ଦୋହଲି ଉଠିଥିଲା। ଥାନେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ସେଲ୍‌ର ମୁଖ୍ୟ ୟାସିନ୍‌ ଯାଦବ କହିଛନ୍ତି, ଆଜି ଅପରାହ୍‌ଣ ୧ଟା ୪୦ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା। ଡୋମ୍ବିଭିଲି ଏମ୍‌ଆଇଡିସି (ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ୍‌ ଡେଭଲପ୍‌ମେଣ୍ଟ କର୍ପୋରେସନ୍‌) ଶିଳ୍ପାଞ୍ଚଳରେ ଥିବା ଅମୁଦାନ କେମିକାଲ୍‌ କମ୍ପାନିର ବଏଲର ଫାଟିଯାଇ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଭୟଙ୍କର ନିଆଁ ସମଗ୍ର କାରଖାନା ପରିସର ସହ ନିକଟସ୍ଥ ତିନିଟି ଅନ୍ୟ ଶିଳ୍ପ ପ୍ରତିଷ୍ଠାନକୁ ବ୍ୟାପିଯାଇଥିଲା।

ନିଆଁ ଓ ଧୂଆଁର ପ୍ରବଳତା ଏତେ ଥିଲା ଯେ ଅନେକ ଦୂର ଯାଏଁ କିଛି ଦେଖାଯାଉନଥିଲା। ସୂଚନା ପାଇ ଘଟଣାସ୍ଥଳକୁ ଥାନେ ପୌରନିଗମର ବିପର୍ଯ୍ୟୟ ପରିଚାଳନା ସେଲ୍‌ର ଏକ ଟିମ୍‌, ଏନ୍‌ଡିଆର୍‌ଏଫ୍‌ର ୧୩ଜଣିଆ ଟିମ୍‌, ୮ଟି ଦମକଳ ଗାଡ଼ି ସହ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। କାରଖାନା ମଧ୍ୟରୁ ପ୍ରାୟ ୭୦ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪୮ଜଣ ଆହତଙ୍କୁ ନିକଟସ୍ଥ ନେପ୍‌ଚ୍ୟୁନ୍‌ ଓ ଏମ୍‌ସ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ୨ ମହିଳାଙ୍କ ସମେତ ୮ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌ ‌ଦୁଃଖ ପ୍ରକାଶ କରିବା ସହ ଆହତଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ, ବିସ୍ଫୋରଣ ଓ ରସାୟନ ନେଇ କୌଣସି ପ୍ରକାରେ ଭୟଭୀତ ନହେବାକୁ ମହାରାଷ୍ଟ୍ର ପୂର୍ତ୍ତବିଭାଗ ମନ୍ତ୍ରୀ ରବୀନ୍ଦ୍ର ଚୌହାନ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର