ମୁମ୍ବାଇରେ ଦେଶର ପ୍ରଥମ ଓମିକ୍ରନ୍‌ ପ୍ରଜାତି ‘ଏକ୍ସଇ’

ମୁମ୍ବାଇ: ମୁମ୍ବାଇରେ ଆଜି ଓମିକ୍ରନ୍‌ର ନୂଆ ପ୍ରଜାତି ‘ଏକ୍ସଇ’ ଚିହ୍ନଟ ହୋଇଛି। ଗତ ସପ୍ତାହରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ‘ଏକ୍ସଇ’ ପ୍ରଜାତିକୁ ନେଇ ସତର୍କ କରିଥିଲେ। ଓମିକ୍ରନ୍‌ର ଏହି ପ୍ରଜାତି କରୋନାର ଅନ୍ୟ ସମସ୍ତ ପ୍ରଜାତିଠାରୁ ଅଧିକ ସଂକ୍ରାମକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଥିଲେ। ତେବେ ମୁମ୍ବାଇରେ ଆଜି ପ୍ରଥମ ଏକ୍ସଇ ମାମଲା ଚିହ୍ନଟ ହୋଇଛି ଏବଂ ଜଣେ ୫୦ ବର୍ଷୀୟା ମହିଳା ଏହି ପ୍ରଜାତିରେ ସଂକ୍ରମିତ ହୋଇଛନ୍ତି। ଉକ୍ତ ମହିଳା ୨ ଡୋଜ୍‌ କୋଭିଡ୍‌ ଟିକା ନେଇଛନ୍ତି ଏବଂ ତାଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନି। ମହିଳା ଜଣଙ୍କ ଫେବ୍ରୁଆରି ୧୦ରେ ଦକ୍ଷିଣ ଆଫ୍ରିକାରୁ ଆସି ପହଞ୍ଚିଥିଲେ। ସେତେବେଳ ସେ କରୋନା ଟେଷ୍ଟ୍‌ କରିଥିଲେ। କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ୍‌ ଥିଲା। କିନ୍ତୁ ମାର୍ଚ୍ଚ ୨ରେ ରୁଟିନ ଟେଷ୍ଟ କରିବା ସମୟରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ତାଙ୍କୁ କ୍ବାରାଣ୍ଟିନ୍‌ରେ ରଖାଯାଇଥିଲା। କିଛି ଦିନ ପରେ ପରୀକ୍ଷା କରାଯିବାରୁ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏହାପରେ ମାର୍ଚ୍ଚ ୨୧ରେ ଏହି ମହିଳାଙ୍କ ନମୁନା ସମେତ ଅନ୍ୟ ୨୩୦ ନମୁନା ସେରୋ ସର୍ଭେ ପାଇଁ ପଠାଯାଇଥିଲା। ଏଥି ମଧ୍ୟରୁ ୨୨୮ଟି ନମୁନାରେ ଓମିକ୍ରନ୍‌ ପ୍ରଜାତି ଚିହ୍ନଟ ହୋଇଥିବା ବେଳେ ଗୋଟିଏ ନମୂନାରେ ‘ଏକ୍ସଇ’ ଏବଂ ଅନ୍ୟ ଏକ ନମୁନାରେ ‘କାପ୍ପା’ ପ୍ରଜାତି ଚିହ୍ନଟ ହୋଇଛି। ତେବେ ଭାରତରେ ଏକ୍ସଇ ମାମଲା ଚିହ୍ନଟ ହେବା ବିଷୟରେ ଆଦୌ ଭୟ ନକରିବାପାଇଁ ଟିଆଇଜିଏସ୍‌ (ଟାଟା ଇନଷ୍ଟିଚ୍ୟୁଟ୍‌ ଫର୍‌ ଜେନେଟିକ୍ସ ଆଣ୍ଡ୍‌ ସୋସାଇଟି) କହିଛି।

ସମ୍ବନ୍ଧିତ ଖବର