ସୀମାରେ ଏହି ୭୩ଟି ରାସ୍ତା ନିର୍ମାଣ ନହେଲେ ଚୀନକୁ ରୋକିପାରିବନି ଭାରତୀୟ ସେନା

ନୂଆଦିଲ୍ଲୀ: ପୁଣି ଥରେ ମୁଣ୍ଡ ଟେକିଛି ଡୋକ୍‌ଲାମ୍‌ ପ୍ରସଙ୍ଗ। ଆମେରିକୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁସାରେ ଚୀନ ସେନା ପୁଣିଥରେ ଡୋକ୍‌ଲାମ୍‌ରେ ନିର୍ମାଣ ଆରମ୍ଭ କରି ଦେଇଛି।  ତେବେ ଏହି ଖବରକୁ ଭାରତ ପକ୍ଷରୁ ଅସ୍ୱୀକାର କରାଯାଇଛି। ଗତବର୍ଷ ଚୀନକୁ ଡୋକଲାମ୍‌ରେ ରୋକିବା ଲାଗି ଭାରତୀୟ ସେନାକୁ ୭୩ଦିନ ଧରି ମୁହାଁମୁହିଁ ଠିଆ ହେବାକୁ ପଡ଼ିଥିଲା। ବର୍ତ୍ତମାନ ଯଦିଓ ଚୀନ ସେନା ଡୋକ୍‌ଲାମ୍‌କୁ ଆସିଥାଏ ତେବେ ଆମ ସେନାକୁ ସେଠାରେ ପହଞ୍ଚିବା ଲାଗି ୧୯ ଘଣ୍ଟା ପାଦରେ ଚାଲିବାକୁ ପଡ଼ିବ। କାରଣ ଡୋକ୍‌ଲାମ୍‌ ଅଞ୍ଚଳରେ ପହଞ୍ଚିବା ଲାଗି ରାସ୍ତାଟିଏ ନାହିଁ। ଗତ ୧୩ବର୍ଷ ହେଲାଣି ସରକାର ଚୀନ ସୀମାରେ ୭୩ଟି ରାସ୍ତା ନିର୍ମାଣ କରିବା ଲାଗି ପାଣ୍ଠି ମଞ୍ଜୁର କରିଥିଲେ ହେଁ ତାହା ନିର୍ମାଣ ହୋଇପାରି ନାହିଁ। ତେଣୁ ଚୀନ ଡୋକ୍‌ଲାମ୍‌ ଓ ଅନ୍ୟ ଅଞ୍ଚଳରେ ମନମାନି ଚଳାଇ ପାରୁଛି।

ଏନେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରନ୍‌ ରିଜ୍ଜୁ ଲୋକସଭାରେ ନିଜର ବୟାନ ରଖି କହିଛନ୍ତି ଯେ ସରକାର ଚୀନ୍‌ ସୀମାରେ ୭୩ଟି ରାସ୍ତା ନିର୍ମାଣ କାର୍ଯ୍ୟ ହାତକୁ ନେଇଛନ୍ତି। ଏଥିମଧ୍ୟରୁ ୪୮ଟି ରାସ୍ତା ପ୍ରତିରକ୍ଷା ମନ୍ତ୍ରାଳୟ ନିର୍ମାଣ କରିଥିବା ବେଳେ ବାକି ୨୫ଟି ରାସ୍ତା ଗୃହ ମନ୍ତ୍ରାଳୟ ଅଧିନରେ କରାଯାଉଛି। ଏଯାବତ୍‌ ୩୪ଟି ରାସ୍ତାର କାମ ଶେଷ ହୋଇଛି।

ଉଲ୍ଳେଖଯୋଗ୍ୟ କି, ଗତବର୍ଷ ଡୋକ୍‌ଲାମ୍‌ ଯିବା ଲାଗି ୧୨୦ଜଣ ସେନା ଯବାନଙ୍କୁ ଦୀର୍ଘ ୧୯ଘଣ୍ଟା ଧରି ଚାଲିବାକୁ ପଡ଼ିଥିଲା।  ଭାରତ-ଚୀନ ସୀମା ୪୦୫୬ କିଲୋମିଟର ଲମ୍ବିଥିବା ବେଳେ  ଏହି ୭୩ ରାସ୍ତା ନିର୍ମାଣ ନହେଲେ ଚୀନ ବାରମ୍ବାର ମାଡି ନିର୍ମାଣ ଓ ଅନ୍ୟ କାର୍ଯ୍ୟକଳାପ କରିଲେ ବି ସେନା ସଙ୍ଗେସଙ୍ଗେ ତା’ର ଜବାବ ଦେଇ ପାରିବେ ନାହିଁ।

ସମ୍ବନ୍ଧିତ ଖବର