କଶ୍ମୀର ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ସାଉଦି ଆରବର କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନଙ୍କ ନିକଟରେ ସ୍ପଷ୍ଟ କଲେ ଏନ୍‌ଏନ୍‌ଏ ଅଜିତ ଡୋଭାଲ

ରିୟାଦ୍‌: ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ୍‌ ଡୋଭାଲ ଆଜି ସାଉଦି ଆରବର କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନ୍‌ଙ୍କୁ ରିୟାଦ୍‌ରେ ଭେଟିବା ସହ ତାଙ୍କ ସହିତ କଶ୍ମୀର ପ୍ରସଙ୍ଗ ନେଇ ମଧ୍ୟ ଆଲୋଚନା କରିଛନ୍ତି। କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନ୍‌ଙ୍କ ସହିତ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ୍‌ ଡୋଭାଲଙ୍କ ଏହି ଆଲୋଚନା କାଳରେ ମଧ୍ୟପ୍ରାଚ୍ୟ (ୟୁନାଇଟେଡ୍‌ ଆରବ ଏମିରେଟ୍‌)ର କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ଜାୟେଦ୍‌ ଅଲ୍‌ ନାହୟାନ୍‌ ମଧ୍ୟ ଉପସ୍ଥିତ ଥିଲେ।

ଆଲୋଚନା କାଳରେ ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ୍‌ ଡୋଭାଲ କଶ୍ମୀର ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା କରିବା ସହ କେଉଁ ପରିସ୍ଥିତିରେ ଓ କାହିଁକି ଭାରତର ମୋଦୀ ସରକାର କଶ୍ମୀରରୁ ରାଜ୍ୟ ପାହ୍ୟା ମାନ୍ୟତା ପରିହାର କରିନେବା ସହ ଧାରା ୩୭୦କୁ ଉଚ୍ଛେଦ କରିନେଲେ, ସେ ସଂପର୍କରେ ସେମାନଙ୍କୁ ବିଶଦ୍‌ ଓ ପ୍ରାଞ୍ଜଳ ଭାବେ ସବୁକିଛି ବୁଝାଇଥିଲେ।

Newsjaaz

ନିକଟରେ ଶେଷ ହୋଇଥିବା ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ଯୋଗଦେଇ ପାକିସ୍ତାନ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କଶ୍ମୀରକୁ ନେଇ ଭାରତ ବିରୋଧରେ ଅନେକ ବିଷୋଦ୍‌ଗାର ସହ ବିଭ୍ରାନ୍ତି ମୂଳକ ବୟାନ ଦେଇ ବିଶ୍ୱର ମୁସ୍‌ଲିମ୍‌ ରାଷ୍ଟ୍ର ସମୂହକୁ କଶ୍ମୀର ପ୍ରସଙ୍ଗରେ ଏକଜୁଟ୍‌ କରିବା ପାଇଁ ବ୍ୟାପକ ଉଦ୍ୟମ କରିଥିଲେ। ଏହି ପରିପ୍ରେକ୍ଷୀରେ ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ୍‌ ଡୋଭାଲ ଆଜି ସାଉଦି ଆରବର କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନ୍‌ ଓ ମଧ୍ୟପ୍ରାଚ୍ୟ (ୟୁନାଇଟେଡ୍‌ ଆରବ ଏମିରେଟ୍‌)ର କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ଜାୟେଦ୍‌ ଅଲ୍‌ ନାହୟାନ୍‌ ସହ କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବା ସହ ଭାରତର ଆଭିମୁଖ୍ୟକୁ ସ୍ପଷ୍ଟ କରିବା ଘଟଣାକୁ କୂଟନୈତିକ ମହଲରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ସମ୍ବନ୍ଧିତ ଖବର