ଓମିକ୍ରନର ସଂକ୍ରମଣକୁ ଦୃଷ୍ଟିରେ ରଖି ଜାନୁଆରି ୩୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତ

ନୂଆଦିଲ୍ଲୀ: ସମ୍ପ୍ରତି ବିଶ୍ବର ୫୭ଟି ଦେଶ‌କୁ ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ବ୍ୟାପିଥିବା ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦେଶକ ଟେଡ୍‌ରସ୍‌ ଆଧାନମ୍‌ ଗେବ୍ରେୟେସସ୍‌ ସତର୍କ କରାଇ କହିଛନ୍ତି ଯେ, ଏହା ପୂର୍ବ ଭେରିଏଣ୍ଟଗୁଡ଼ିକ ଠାରୁ ଅଧିକ ଦ୍ରୁତ ବେଗରେ ବ୍ୟାପି ଯାଇ ପାରିବ।

ତେଣୁ ଓମିକ୍ରନର ସଂକ୍ରମଣକୁ ଦୃଷ୍ଟିରେ ରଖି ୨୦୨୨ ଜାନୁଆରି ୩୧ ପର୍ଯ୍ୟନ୍ତ ଦେଶରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ)ଙ୍କ ଦ୍ବାରା ଜାରି କରାଯାଇଥିବା ଚିଠିରେ ଏହି ସୂଚନା ଦିଆଯାଇଛି।

 

ଉଲ୍ଲେଖଯୋଗ୍ୟ , ଗତ ମାସରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଡିସେମ୍ବର ୧୫ ରୁ ଆନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିବାକୁ ଘୋଷଣା କରିଥିଲା। କରୋନା ମହାମାରୀ ହେତୁ ଗତ ବର୍ଷ ମାର୍ଚ୍ଚ ୨୩ରେ ଦେଶରେ ନିୟମିତ ଆନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା। ଅବଶ୍ୟ, ସମୟ ସମୟରେ ଅନେକ ଦେଶ ସହିତ ବାୟୋ ବବୁଲ ଚୁକ୍ତି କରାଯାଉଥିଲା ଏବଂ ସେମାନଙ୍କ ମଧ୍ୟରେ ସୀମିତ ବିମାନ ସେବା ଆରମ୍ଭ ହୋଇଥିଲା।

ଦେଶରେ କରୋନା ମାମଲା ହ୍ରାସ ହେତୁ ସରକାର ଡିସେମ୍ବର ୧୫ ରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ କରୋନା ଓମିକ୍ରନର ନୂତନ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଘୋଷଣାକୁ ଫେରାଇ ନିଆଯାଇଛି। ଅନେକ ଦେଶରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହେବା ପରେ ରାଜନେତାମାନେ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର