ଅଯୋଧ୍ୟା ମାମଲାର ରାୟ ଶୁଣାଇବା ପରେ ମୁଁ ନିଜ ସହଯୋଗୀମାନଙ୍କୁ ନେଇ ହୋଟେଲ ଯାଇଥିଲି: ପୂର୍ବତନ ପ୍ରଧାନବିଚାରପତି

ନୂଆଦିଲ୍ଲୀ: ଦେଶରେ ସବୁଠାରୁ ଅଧିକ ସମୟ ଧରି ଚାଲିଥିବା ଅଯୋଧ୍ୟା ବିବାଦର ରାୟ ୨୦୧୯ ମସିହାରେ ଆସିଥିଲା । ରାୟ ଶୁଣାଇଥିବା ସାମ୍ବିଧାନିକ ପୀଠର ନେତୃତ୍ୱ ନେଉଥିଲେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନବିଚାରପତି ରଞ୍ଜନ ଗୋଗୋଇ। ଜଷ୍ଟିସ୍ ଗୋଗୋଇ ଅବସର ନେବା ପରେ ରାଜ୍ୟସଭାରେ ସାଂସଦ ଅଛନ୍ତି । ରାଜ୍ୟସଭାରେ ଗୋଗୋଇ ନିଜର ଆତ୍ମଜୀବନୀ ଗ୍ରନ୍ଥ  ‘ଜଷ୍ଟିସ୍ ଫର ଦି ଜଜ୍’ ସଂପର୍କରେ ଉଲ୍ଲେଖ କରି ଅଯେ‌ାଧ୍ୟା ମାମଲାର ଚୂଡ଼ାନ୍ତ ରାୟ ଦେଇଥିବା ଖଣ୍ଡପୀଠର ସଦସ୍ୟ କଣ କଣ କରିଥିଲେ  ତାହା ବଖାଣିଛନ୍ତି । ଏହି ପୁସ୍ତକରେ ଗୋଗୋଇ କହିଛନ୍ତି କି ରାୟ ଶୁଣାଇବା ପରେ ସେ ନିଜ ସହଯୋଗୀ ମାନଙ୍କୁ ନେଇ ମଧ୍ୟାହ୍ନ ଭୋଜନ କରିବାକୁ ହୋଟେଲ ତାଜ୍ ମାନସିଂ ଯାଇଥିଲେ ଓ ସେଠାରେ ସବୁଠାରୁ ଦାମୀ ପାନୀୟ ମଗାଇଥିଲେ ।

ନିଜ ଆତ୍ମଜୀବନୀ ଗ୍ରନ୍ଥରେ ରଞ୍ଜନ ଗୋଗୋଇ ୨୦୧୮ ରେ ସୁପ୍ରିମ କୋର୍ଟର ୪ ଜଣ ବିଚାରପତିଙ୍କ ସାମ୍ବାଦିକ ସମ୍ମିଳନୀ ଓ ତା’ପରେ ନିଜ ଉପରେ ଆସିଥିବା ଦୁଷ୍କର୍ମ ଅଭିଯୋଗ ଓ ତାଙ୍କ ଦ୍ୱାରା ଶୁଣାଯାଇଥିବା ରାୟ କଥା ବି ଲେଖିଛନ୍ତି । ଅଯୋଧ୍ୟା ମାମଲାର ରାୟ ପରେ ଏହାକୁ ବର୍ଣ୍ଣନା କରି ସେ ଲେଖିଛନ୍ତି କି, “ରାୟ ଶୁଣାଣି ପରେ ସେକ୍ରେଟାରୀ ଜେନରାଲ ସମସ୍ତ ଜଜଙ୍କ ପାଇଁ ଏକ ଫଟୋ ସେସନ୍ କରାଇଥିଲେ, ଏହି ଫଟୋ ସେସନ୍ ସୁପ୍ରିମ କୋର୍ଟରେ ଥିବା ଅଶୋକ ଚକ୍ର ତଳେ ୧ ନମ୍ବର କୋର୍ଟ ବାହାରେ ହୋଇଥିଲା।’’

ଅଯୋଧ୍ୟା ମାମଲାରେ ରାୟ ଶୁଣାଇଥିବା ଖଣ୍ଡପୀଠରେ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ ଏସଏ ବୋବଡେ, ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏସ ଅବ୍ଦୁଲ ନଜୀର ସାମିଲ ଥିଲେ । ନିଜ ଉପରେ ଲାଗିଥିବା ଦୁଷ୍କର୍ମ ଅଭିଯୋଗକୁ ନେଇ ଜଷ୍ଟିସ ଗୋଗୋଇ ଲେଖିଛନ୍ତି କି “ଯେତେବେଳେ ଏହି ମାମଲା ସାମ୍ନାକୁ ଆସିଲା ସେତେବେଳେ ମୁଁ ତୁରନ୍ତ ସୁପ୍ରିମକୋର୍ଟର ଏକ ସ୍ୱତନ୍ତ୍ର ବୈଠକ ଡାକିଥିଲି, ଏହି ବୈଠକ ୨୦୧୯ ଏପ୍ରିଲ ୨୦ ତାରିଖରେ ହୋଇଥିଲା।” ଏହା ପରେ ଗୋଗୋଇ ସେହି ବେଞ୍ଚର ଏକ ଅଂଶ ହୋଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି-ସେ କହିଛନ୍ତି ଯେ ‘‘ମୁଁ ସେହି ବେଞ୍ଚର ଅଂଶ ହେବା ଉଚିତ୍ ନୁହେଁ କିନ୍ତୁ ଆମେ ସମସ୍ତେ ଆମ ଜୀବନରେ ଭୁଲ୍ କରୁ।’’

ସମ୍ବନ୍ଧିତ ଖବର