ସମସ୍ୟାରେ ଆପ୍ ବିଧାୟକ ଅମାନତୁଲ୍ଲା ଖାଁ, ଘରେ ପହଞ୍ଚିଲା ପୁଲିସ୍

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲା ଖାଁ ପୁଣି ଥରେ ବିବାଦ ଓ ସମସ୍ୟାରେ ଫସିଛନ୍ତି। ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ନୋଏଡା ପୋଲିସ ଅମାନତୁଲ୍ଲା ଓ ତାଙ୍କ ପୁଅକୁ ଖୋଜୁଛି । ଆଜି ନୋଏଡା ପୋଲିସ ଏହି ଘଟଣାରେ ଆପ୍ ବିଧାୟକଙ୍କ ଘରେ ପହଞ୍ଚିଛି । ନୋଏଡା ପୁଲିସ ତାଙ୍କୁ ନୋଟିସ୍ ଦେବା ପାଇଁ ତାଙ୍କ ଘରେ ପହଞ୍ଚିଥିଲା । କିନ୍ତୁ ସେ ବିଗତ ଅନେକ ଦିନ ହେଲା ପୁଅ ସହ ଘରୁ ନିଖୋଜ ଅଛନ୍ତି। ଏହାପରେ ନୋଏଡା ପୁଲିସ ଆପ୍ ବିଧାୟକଙ୍କ ଘରେ ନୋଟିସ୍ ଲଗାଇଥିଲା। ନୋଏଡା ପୁଲିସ ଅଭିଯୋଗ କରିଛି ଯେ ଅମାନତୁଲ୍ଲା ଏବଂ ତାଙ୍କ ପୁଅ ତଦନ୍ତରେ ସହଯୋଗ କରୁନାହାଁନ୍ତି ।

ନୋଏଡା ପୁଲିସ ବିଧାୟକ ଅମାନତୁଲ୍ଲା  ଏବଂ ତାଙ୍କ ପୁଅ ଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି । ଅମାନତୁଲ୍ଲା ଖାଁଙ୍କ ପୁଅ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ବେଳେ ବିଧାୟକ ଖାଁ ତାଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି।

ନୋଏଡା ପୁଲିସ ଅମାନତୁଲ୍ଲାଙ୍କ ନିର୍ବାଚନୀ କାର୍ଯ୍ୟକ୍ରମ ଉପରେ ବି ନଜର ରଖିଛି । କିନ୍ତୁ ସେ ଯେଉଁ କାର୍ଯ୍ୟକ୍ରମକୁ ଯିବାର ଥିଲା, ସେଠାକୁ ପହଞ୍ଚୁନାହାନ୍ତି । ଏହା ପୁଲିସର ଚିନ୍ତା ବଢାଇଦେଇଛି । ସେପଟେ ପେଟ୍ରୋଲ ପମ୍ପ ଆକ୍ରମଣ ମାମଲାରେ ନୋଏଡା ପୋଲିସ ସିସିଟିଭି ଓ ସାକ୍ଷୀଙ୍କ ବୟାନ ସଂଗ୍ରହ କରିଛି । ସେମାନଙ୍କର ମଧ୍ୟ ଯାଞ୍ଚ କରାଯାଇଛି।

ସମ୍ବନ୍ଧିତ ଖବର