ଶକ୍ତିଶାଳୀ ଭାରତ ପାଇଁ ଆମ ସେନାବାହିନୀରେ ଆଧୁନିକତାର ଆବଶ୍ୟକତା ରହିଛି: ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଲୋକସଭା ଓ ରାଜ୍ୟସଭାର ମିଳିତ ବୈଠକକୁ ସମ୍ବୋଧିତ କରି ନୂତନ ନିର୍ବାଚିତ ସାଂସଦମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି କହିଥିଲେ ଯେ ଆପଣମାନେ ସମସ୍ତେ ଦେଶର ମତଦାତାଙ୍କ ବିଶ୍ୱାସ ଜିତି ଏଠାକୁ ଆସିଛନ୍ତି । ଖୁବ୍ କମ୍ ଲୋକଙ୍କୁ ଦେଶ ସେବା ଓ ଜନସେବାର ଏପରି ସୌଭାଗ୍ୟ ମିଳିଥାଏ । ମୋର ବିଶ୍ୱାସ ଯେ ଆପଣମାନେ ରାଷ୍ଟ୍ର ପ୍ରଥମ ଭାବନା ସହିତ ଆପଣଙ୍କ ଦାୟିତ୍ୱ ତୁଲାଇବେ ଏବଂ ୧୪୦ କୋଟି ଦେଶବାସୀଙ୍କ ଆକାଂକ୍ଷା ପୂରଣ କରିବାର ମାଧ୍ୟମ ହେବେ । ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ନେଇ ରାଷ୍ଟ୍ରପତି କହିଥିଲେ ଯେ ଏକ ଶକ୍ତିଶାଳୀ ଭାରତ ପାଇଁ ଆମ ସେନାବାହିନୀରେ ଆଧୁନିକତାର ଆବଶ୍ୟକତା ରହିଛି। ଯୁଦ୍ଧ ପରିସ୍ଥିତିରେ ଆମେ ଯେପରି ସର୍ବଶ୍ରେଷ୍ଠ ରହିବୁ ତାହା ସୁନିଶ୍ଚିତ କରିବା ପାଇଁ ସେନାରେ ସଂସ୍କାର ପ୍ରକ୍ରିୟା ନିରନ୍ତର ଜାରି ରହିବା ଉଚିତ୍ । ଏହି ଚିନ୍ତାଧାରାରେ ସରକାର ଗତ ୧୦ ବର୍ଷ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ଅନେକ ସଂସ୍କାର ଆଣିଛନ୍ତି । ସିଡିଏସ୍ ଭଳି ସଂସ୍କାର ଆମ ବାହିନୀକୁ ନୂଆ ଶକ୍ତି ଦେଇଛି। ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଗୋଳାବାରୁଦ କାରଖାନା ଗୁଡ଼ିକରେ ସଂସ୍କାର ପ୍ରତିରକ୍ଷା କ୍ଷେତ୍ରକୁ ବହୁତ ଲାଭ ଦେଇଛି ।

୪୦ରୁ ଅଧିକ ଗୋଳାବାରୁଦ କାରଖାନା ଗୁଡ଼ିକୁ ୭ଟି ନିଗମ ରୂପେ ସଂଗଠିତ କରିବା ଫଳରେ ସେମାନଙ୍କର କ୍ଷମତା ଏବଂ ଦକ୍ଷତା ବୃଦ୍ଧି କରିଛି । ଏଭଳି ସଂସ୍କାର ଯୋଗୁଁ ଭାରତ ଆଜି ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରୁଛି । ଗତ ଦଶନ୍ଧି ମଧ୍ୟରେ ଆମର ପ୍ରତିରକ୍ଷା ରପ୍ତାନି ୧୮ ଗୁଣା ବୃଦ୍ଧି ପାଇ ୨୧,୦୦୦ କୋଟି ଟଙ୍କାରେ ପହଞ୍ଚିଛି । ଫିଲିପାଇନ୍ସ ସହ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ପ୍ରତିରକ୍ଷା ଚୁକ୍ତି ପ୍ରତିରକ୍ଷା ରପ୍ତାନି କ୍ଷେତ୍ରରେ ଭାରତର ପରିଚୟକୁ ସୁଦୃଢ଼ କରୁଛି । ସରକାର ଯୁବବର୍ଗ ଓ ସେମାନଙ୍କ ଷ୍ଟାର୍ଟଅପ୍ କୁ ପ୍ରୋତ୍ସାହିତ କରି ଆତ୍ମନିର୍ଭର ପ୍ରତିରକ୍ଷା କ୍ଷେତ୍ରର ଏକ ମଜବୁତ ଭିତ୍ତିଭୂମି ପ୍ରସ୍ତୁତ କରିଛନ୍ତି। ସରକାର ଉତ୍ତରପ୍ରଦେଶ ଏବଂ ତାମିଲନାଡୁରେ ଦୁଇଟି ପ୍ରତିରକ୍ଷା କରିଡର ବିକଶିତ କରୁଛନ୍ତି। ଗତବର୍ଷ ଆମର ସାମରିକ ଆବଶ୍ୟକତାର ପ୍ରାୟ ୭୦ ପ୍ରତିଶତ ଭାରତୀୟ ଶିଳ୍ପରୁ କିଣାଯାଇଛି । ଆମ ସେନା ୫୦୦ରୁ ଅଧିକ ସାମରିକ ସାମଗ୍ରୀ ବିଦେଶରୁ ଆମଦାନୀ କରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି। ଏସବୁ ଅସ୍ତ୍ରଶସ୍ତ୍ର ଓ ଉପକରଣ ଏବେ କେବଳ ଭାରତୀୟ କମ୍ପାନି ଠାରୁ କିଣାଯାଉଛି। ସରକାର ସବୁବେଳେ ସୈନିକମାନଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇଆସିଛନ୍ତି । ଏଥିଯୋଗୁ ୪ ଦଶନ୍ଧି ପରେ ଓ୍ଵାନ୍ ରେଙ୍କ ଓ୍ଵାନ୍ ପେନସନ୍ କାର୍ଯ୍ୟକାରୀ ହୋଇଥିଲା। ଏହା ଅଧୀନରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୨୦ ହଜାର କୋଟି ଟଙ୍କା ଦିଆଯାଇଛି।

ସମ୍ବନ୍ଧିତ ଖବର