ପ୍ରଧାନମନ୍ତ୍ରୀଙ୍କ କେରଳ ଓ କର୍ଣ୍ଣାଟକ ଗସ୍ତ ୧ରୁ

ଆଇଏନ୍‌ଏସ୍‌ ବିକ୍ରାନ୍ତକୁ ସେନାରେ ସାମିଲ କରିବେ ଓ ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମପୀଠ ଦର୍ଶନ କରିବେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୧ ଓ ୨ରେ କେରଳ ଓ କର୍ଣ୍ଣାଟକ ଗସ୍ତ କରିବେ। ସନ୍ଧ୍ୟା ଛଅଟାରେ କୋଚିନ ବିମାନ ବନ୍ଦର ନିକଟବର୍ତ୍ତୀ ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମଭୂମି କାଲାଡି ଗ୍ରାମ ପରିଦର୍ଶନ କରିବେ। କୋଚିନ ବନ୍ଦରରେ ସେପ୍ଟେମ୍ବର ୨ ତାରିଖ ଦିବା ୯ଟାରେ ଭାରତର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଜାହାଜ ଆଇଏନ୍‌ଏସ୍‌ ବିକ୍ରାନ୍ତକୁ ସେନାରେ ସାମିଲ କରିବେ। ସେହିଦିନ ଦିବା ସାଢ଼େ ଗୋଟାଏ ବେଳେ ପ୍ରଧାନମନ୍ତ୍ରୀ ମାଙ୍ଗାଲୁରୁଠାରେ ୩୮୦୦ କୋଟି ଟଙ୍କା ଅଟକଳରେ ହେବାକୁ ଥିବା ପ୍ରକଳ୍ପର ଶିଳାନ୍ୟାସ କରିବେ।

ଆତ୍ମନିର୍ଭରଶୀଳତାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତକୁ ସେନାରେ ସାମିଲ କରିବେ। ଭାରତୀୟ ନୌସେନାର ନିଜସ୍ୱ ଯୁଦ୍ଧପୋତ ବ୍ୟୁରୋ ଦ୍ୱାରା ଏହାର ପରିପାଟୀ ପ୍ରସ୍ତୁତ ହୋଇଥିବାବେଳେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଅଧୀନ କୋଚିନ ସିପୟାର୍ଡ ଲିମିଟେଡ୍ ଦ୍ୱାରା ଏହା ନିର୍ମାଣ କରାଯାଇଛି। ଭାରତର ସାମୁଦ୍ରିକ ଇତିହାସରେ ସମ୍ପୂର୍ଣ୍ଣ ସ୍ୱୟଂକ୍ରିୟ ବ୍ୟବସ୍ଥାଯୁକ୍ତ ସବୁଠାରୁ ବୃହତ୍‌ ଯୁଦ୍ଧପୋତ ହେଉଛି ଆଇଏନ୍‌ଏସ୍‌ ବିକ୍ରାନ୍ତ। ୧୯୭୧ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦେଶର ପ୍ରଥମ ଏୟାର କ୍ରାଫ୍ଟ କ୍ୟାରିଅର ନାମରେ ଏହାର ନାମିତ କରାଯାଇଛି।

ପ୍ରଧାନମନ୍ତ୍ରୀ ମାଙ୍ଗାଲୁରୁଠାରେ ୩୮୦୦ କୋଟି ଟଙ୍କା ବ୍ୟୟରେ ଶିଳ୍ପାୟନ ଓ ଯାନ୍ତ୍ରିକୀକରଣ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ମଧ୍ୟ କରିବେ। ସେ ୨୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୪ ନମ୍ବର ବର୍ଥର ଯାନ୍ତ୍ରିକୀକରଣ ବ୍ୟବସ୍ଥାର ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀ ମଧ୍ୟ ବନ୍ଦର ଦ୍ୱାରା ଅଧିଗୃହୀତ ପ୍ରାୟ ୧୦୦୦ କୋଟି ଟଙ୍କାର ପାଞ୍ଚଟି ପ୍ରକଳ୍ପର ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ କୁଲାଇଠାରେ ମଧ୍ୟ ମାଛଧରା ବନ୍ଦରର ଶିଳାନ୍ୟାସ କରିବେ। ସାଗରମାଳା ପ୍ରକଳ୍ପ ଅଧୀନରେ କରାଯାଉଥିବା ଏହି କାର୍ଯ୍ୟ ଯୋଗୁ ମତ୍ସ୍ୟଜୀବୀମାନଙ୍କ ସାମାଜିକ ଓ ଆର୍ଥିକ ସୁବିଧା ହୋଇପାରିବ।

ପ୍ରଧାନମନ୍ତ୍ରୀ ମଧ୍ୟ ମାଙ୍ଗାଲୁରୁ ତୈଳ ବିଶୋଧନାଗାର ଓ ପେଟ୍ରୋ ରସାୟନ ଲିମିଟେଡର ଦୁଇଟି ପ୍ରକଳ୍ପର ଉଦ୍‌ଘାଟନ କରିବେ। ତାହା ହେଲା ବିଏସ-୬ ଉନ୍ନୀତକରଣ ପ୍ରକଳ୍ପ ଓ ସମୁଦ୍ରଜଳ ଲବଣମୁକ୍ତ ପ୍ରକଳ୍ପ। ବିଏସ-୬ ଉନ୍ନୀତକରଣ କାରଖାନା ୧୮୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବେଳେ ଏହା ପରିବେଶ ଅନୁକୂଳ ଇନ୍ଧନ ଯୋଗାଇବ। ୬୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସମୁଦ୍ର ଜଳ ଲବଣମୁକ୍ତ କାରଖାନା ମଧୁର ଜଳ ଉପରେ ନିର୍ଭରଶୀଳତା ହ୍ରାସ କରିବା ସହ ବର୍ଷ ସାରା ହାଇଡ୍ରୋକାର୍ବନ ଓ ପେଟ୍ରୋ ରସାୟନ ଯୋଗାଣ ଅବ୍ୟାହତ ରଖିବ।

ସମ୍ବନ୍ଧିତ ଖବର