ପୋର୍ସ କାର୍‌ ଦୁର୍ଘଟଣା ମାମଲା: ୩ଦିନ ପାଇଁ ପୁଲିସ କଷ୍ଟଡିକୁ ଗଲେ ନାବାଳକର ଜେଜେବାପା

ପୁଣେ: ମହାରାଷ୍ଟ୍ରର ପୁଣେରେ ହୋଇଥିବା ପୋର୍ସ କାର ଦୁର୍ଘଟଣା ମାମଲାରେ ନାବାଳକ ଅଭିଯୁକ୍ତଙ୍କ ବାପା ବିଶାଲ ଏବଂ ଜେଜେବାପା ସୁରେନ୍ଦ୍ର ଅଗ୍ରୱାଲଙ୍କ ବିରୋଧରେ ତୃତୀୟ ଏଫଆଇଆର ଦାଖଲ କରାଯାଇଛି। ଅନ୍ୟପକ୍ଷରେ ପୁଲିସ ଶନିବାର ସକାଳେ ଗିରଫ ହୋଇଥିବା ସୁରେନ୍ଦ୍ର ଅଗ୍ରୱାଲଙ୍କୁ କୋର୍ଟରେ ହାଜର କରି ସାତ ଦିନ ପାଇଁ ପୁଲିସ ହେପାଜତକୁ ନେବାକୁ ଆବେଦନ କରିଥିଲା। କିନ୍ତୁ କୋର୍ଟ ତାଙ୍କୁ ତିନି ଦିନ ପାଇଁ ପୁଲିସ ହେପାଜତ ପଠାଇଥିବା ଜଣାପଡ଼ିଛି। ସେ ଏବେ ମେ’ ୨୮ପର୍ଯ୍ୟନ୍ତ ପୁଲିସ ହେପାଜତରେ ରହିବେ।

ପୁଲିସ କୋର୍ଟକୁ କହିଛି ଯେ ଅଭିଯୁକ୍ତଙ୍କ ଜେଜେବାପା ସୁରେନ୍ଦ୍ର ଅଗ୍ରୱାଲ ତାଙ୍କ ଡ୍ରାଇଭର ଗଙ୍ଗରାମଙ୍କ ଉପରେ ନାତି କରିଥିବା ଅପରାଧ ଲଦିବାକୁ ଚାହିଥିଲେ। ଏଥିପାଇଁ ଡ୍ରାଇଭରଙ୍କୁ ଦୋଷ ଗ୍ରହଣ କରିନେବାକୁ ବାଧ୍ୟ କରାଯାଇଥିଲା। କେବଳ ଏତିକି ନୁହେଁ, ତାଙ୍କୁ ଅପହରଣ କରି ବଙ୍ଗଳାରେ ବନ୍ଦୀ କରି ରଖିଥିଲେ ସୁରେନ୍ଦ୍ର ଅଗ୍ରୱାଲ। ଘରୁ କିଛି ସିସିଟିଭି ଫୁଟେଜ୍ ଉଦ୍ଧାର କରାଯାଇଛି, ଯାହା ସେମାନଙ୍କ ଅପରାଧକୁ ନିଶ୍ଚିତ କରୁଛି ବୋଲି ପୁଲିସ ସ୍ପଷ୍ଟ କରିଛି।

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ୨ଜଣ ଇଞ୍ଜିନିୟର(ଜଣେ ମହିଳା ଓ ଜଣେ ପୁରୁଷ) ସାଙ୍ଗମାନଙ୍କୁ ଦେଖା କରି ଘରକୁ ଫେରୁଥିବା ବେଳେ ଏକ ପୋର୍ସ କାର୍ ତାଙ୍କୁ ଧକ୍କା ଦେଇଥିଲା। ଏହା ଫଳରେ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକମାନେ ଥିଲେ ଅନୀଷ ଅୱଧୀୟ ଓ ଅଶ୍ବିନୀ କୋଶଟା। ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତ ନାବାଳକ ଥିବାରୁ ତାକୁ ଜାମିନ୍ ଦିଆଯାଇ ତା’ର ବାପାକୁ ଗିରଫ କରିଥିଲା ପୁଲିସ। ହେଲେ ନାବାଳକର ଜାମିନକୁ ବିରୋଧ କରାଯିବାରୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ଅଭିଯୁକ୍ତର ଜାମିନ ରଦ୍ଦ କରିଥିଲେ। ଏହା ସହିତ ଜୁଭେନାଇଲ ଜଷ୍ଟିସ ବୋର୍ଡ ଅଭିଯୁକ୍ତକୁ ଜୁନ୍‌ ୫ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଥିଲେ।

ସମ୍ବନ୍ଧିତ ଖବର