ରାଜନୈତିକ ବାଧ୍ୟବାଧକତା ହେତୁ ଦିଲ୍ଲୀ ସେବା ବିଲକୁ ସମର୍ଥନ କରୁଛି ବିଜେଡି : ଆପ୍ ସାଂସଦ ରାଘବ ଚଢା

କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଥିବାରୁ ବିଜେଡ଼ିକୁ ଟାର୍ଗେଟ କଲେ କି ଆପ ସାଂସଦ ?

ନୂଆଦିଲ୍ଲୀ: ଲୋକସଭାରେ ଦିଲ୍ଲୀ ସେବା ନିଯୁକ୍ତି ଓ ବଦଳି (ସଂଶୋଧନ) ବିଲ୍‌, ୨୦୨୩ ଆଗତ ହେବା ନେଇ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢା ଏକ ବଡ ବିବୃତି ଦେଇଛନ୍ତି। ସେ କହିଛନ୍ତି ଯେ, ‘‘ଦିଲ୍ଲୀବାସୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବହୁତ ଭଲ ପାଆନ୍ତି। ସେଥିପାଇଁ ଗତ ୧୦ ବର୍ଷ ଧରି ଆମେ ପ୍ରତ୍ୟେକ ଥର ତାଙ୍କ ପାଇଁ ଭୋଟ୍ ଦେଉଛୁ | ଏହା ଏକ ଦେଶ ବିରୋଧୀ ବିଲ୍, ଯେଉଁମାନେ ଏହି ବିଲକୁ ସମର୍ଥନ କରିବେ, ଦେଶ ସେମାନଙ୍କୁ ଦେଶବିରୋଧୀ ଭାବେ ମନେ ରଖିବ। ଯେଉଁମାନେ ଏହି ବିଲକୁ ବିରୋଧ କରୁଛନ୍ତି ସେମାନଙ୍କୁ ଦେଶପ୍ରେମୀ କୁହାଯିବ।’’

ଏଥିସହିତ ସେ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ ସଂସଦରେ ଦିଲ୍ଲୀ ସେବା ବିଲ୍ ଭଲି ଏକ ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ବିଲକୁ ବିଜୁ ଜନତା ଦଳ ସମର୍ଥନ କରିବା ପଛରେ କିଛି ବାଧ୍ୟବାଧକତା ରହିଥିବ। ଏପରି ହୋଇ ନଥିଲେ ଏକ ନିର୍ବାଚିତ ସରକାରର ସମସ୍ତ କ୍ଷମତା କେନ୍ଦ୍ର ସରକାରଙ୍କୁ ଦିଆଯିବା ଭଳି ପ୍ରସ୍ତାବ ଥିବା ବିଲକୁ କେବେ ସମର୍ଥନ କରି ନଥାନ୍ତା ବିଜେଡି। ଏଥିସହ ସେ ହିନ୍ଦୀରେ କହିଥିଲେ- ‘‘କୁଛ୍ ‌ ତୋ ମଜବୁରିଆଁ ରହି ହୋଙ୍ଗି, ୟୁହିଁ କୋଇ ବେୱଫା ନହିଁ ହୋତା। ଜି ଚାହାତା ହେ ସଚ୍ ବୋଲୁଁ, କ୍ୟା କରୁଁ ହୋସଲା ନହିଁ ହୋତା।’’

ତେବେ ରାଜ୍ୟସଭା ସାଂସଦ ଏଭଳି ଏକ ସମୟରେ ଏହି ବିବୃତି ଦେଇଛନ୍ତି ଯେତେବେଳେ ବିଜେଡି ଏହି ବିଲକୁ ସମର୍ଥନ କରିବ ବୋଲି ଘୋଷଣା କରିଥିଲା | ଦିଲ୍ଲୀ ଜାତୀୟ ରାଜଧାନୀ ଅଂଚଳ ସରକାର (ସଂଶୋଧନ) ବିଲ୍‌-୨୦୨୩କୁ ସମର୍ଥନ କରିବାକୁ ବିଜେଡି ଗତକାଲି କହିଥିଲା | ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଜାତୀୟ ରାଜଧାନୀ ଅଂଚଳ ସରକାର (ସଂଶୋଧନ) ବିଲ୍‌-୨୦୨୩ ବିଲ୍‌କୁ ଲୋକସଭାରେ ଆଗତ କରାଯାଇଥିଲା। ବିରୋଧୀ ତୀବ୍ର ବିରୋଧ କରିବା ସହିତ ଗର୍ଜିଥିଲେ।

ତେବେ ବିଲ୍‌କୁ ତତ୍କାଳ ବିଜେଡି ତରଫରୁ ଦୃଢ଼ ସମର୍ଥନ ଦିଆଯାଇଥିଲା। ଲୋକସଭାରେ ବିଜେଡି ନେତା ପିନାକୀ ମିଶ୍ର ବିଲ୍‌କୁ ସମର୍ଥନ କରିଥିଲେ। ପିନାକୀ କହିଥିଲେ, କେନ୍ଦ୍ର ସରକାର ଏହି ବିଲ୍‌ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ଆଣିଛନ୍ତି। ସବୁ ପ୍ରକାର ଆପତ୍ତି ରାଜନୈତିକ। ବିଲ୍‌ରେ ଆଇନଗତ ଅନୁପାଳନ ରହିଛି, ରାଜନୈତିକ ଦଳର ବିଲ୍‌ ବିରୋଧରେ ଭୋଟ ଦେବାର ଅଧିକାର ରହିଛି ହେଲେ ଆଇନଗତ ବିନ୍ଦୁ ଉପରେ ସେମାନେ ଚ୍ୟାଲେଞ୍ଜ କରିପାରିବେ ନାହିଁ। ଅନ୍ୟପଟେ ରାଜ୍ୟସଭା ସାଂସଦ ବିରୋଧୀ ଦଳର ଗଠବନ୍ଧନ ଇଣ୍ଡିଆକୁ ନେଇ କହିଛନ୍ତି ଯେ ସମସ୍ତ ସାଂସଦ ଏକଜୁଟ ହୋଇଛନ୍ତି। ରାଜ୍ୟସଭାରେ ବଡ ଲଢେଇ ହେବାକୁ ଯାଉଛି। ଦେଶର ସମ୍ବିଧାନ ଏବଂ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆମେ ଏହି ଯୁଦ୍ଧରେ ଲଢ଼ିବା। ସେ କହିଛନ୍ତି ଯେ ଏହା କେବଳ ଏକ ବିଲ ପାଇଁ ଭୋଟ୍ ଦେବା କଥା ନୁହେଁ, ବରଂ ଏହା ଏକ ଧର୍ମ ଯୁଦ୍ଧ, ଯେଉଁଥିରେ ଧର୍ମ ଆମ ସହିତ ଅଛି | ଧର୍ମ ସହ ସତ୍ୟ ଆମ ସହିତ ଅଛି | ଅନ୍ୟାୟ ଓ ଅସତ୍ୟ ବିଜେପିର କ୍ୟାମ୍ପରେ ଅଛି | ଯେତେବେଳେ ଧର୍ମ ଆପଣଙ୍କ ସହିତ ଥାଏ, ତେବେ ଏହି ବ୍ରହ୍ମାଣ୍ଡର ସମସ୍ତ ଶକ୍ତି ଆପଣଙ୍କୁ ଜିତାଇବାକୁ ଲାଗିପଡନ୍ତି |

ସମ୍ବନ୍ଧିତ ଖବର