ହରିୟାଣା ହିଂସାକୁ ନେଇ ଦିଲ୍ଲୀରେ ବିକ୍ଷୋଭ: ‘ଘୃଣ୍ୟ ଭାଷଣ’ ଉପରେ ନିଷେଧାଦେଶ ଜାରି ସହ ରାଲିର ଭିଡିଓଗ୍ରାଫି ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ହରିୟାଣାରେ ସାମ୍ପ୍ରଦାୟିକ ସଂଘର୍ଷକୁ ନେଇ ଆନ୍ଦୋଳନ ଦିଲ୍ଲୀ ସୀମାରେ ପହଞ୍ଚିଥିବା ବେଳେ ସୁପ୍ରିମକୋର୍ଟ ସାମ୍ପ୍ରଦାୟିକ ନିଆଁ ଲଗାଇବା ଏବଂ ଲୋକଙ୍କୁ ହିଂସା ପାଇଁ ଉତ୍ସାହିତ କରୁଥିବା ରାଲିକୁ ବନ୍ଦ କରିବା ପାଇଁ ହୋଇଥିବା ଏକ ଆବେଦନର ଶୁଣାଣି କରି ଭିଏଚ୍‌ପି/ବଜରଙ୍ଗ ଦଳର ରାଲିକୁ ନେଇ ଉତ୍ତରପ୍ରଦେଶ, ହରିୟାଣା ଓ ଦିଲ୍ଲୀ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଯେ ‘ରାଲି ଚାଲିପାରେ; କିନ୍ତୁ ଏହାର ଭିଡିଓ ଗ୍ରାଫ୍‌ ହେବା ଉଚିତ୍‌’। ଏଥିସହ ରାଲିରେ କୌଣସି ପ୍ରକାର ଘୃଣ୍ୟ ଭାଷଣ ନ ହେବା ଏବଂ ରାଲି ସମୟରେ ସୁରକ୍ଷା ଦୃଷ୍ଟିରୁ ଅତିରିକ୍ତ ଫୋର୍ସ ମୁତୟନ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ଶୁକ୍ରବାର (ଅଗଷ୍ଟ ୪) ହେବ।

‘ଆମେ ଆଶା ଏବଂ ବିଶ୍ୱାସ କରୁଛୁ ଯେ ପୁଲିସ ସହିତ ରାଜ୍ୟ ସରକାର ସୁନିଶ୍ଚିତ କରିବେ ଯେ କୌଣସି ସମ୍ପ୍ରଦାୟ ବିରୋଧରେ ଘୃଣ୍ୟ ଭାଷଣ କରାଯିବ ନାହିଁ କିମ୍ବା କୌଣସି ସମ୍ପତ୍ତି ଭଙ୍ଗାରୁଜା କିମ୍ବା ପୋଡ଼ାଜଳା ହେବ ନାହିଁ। ଆବଶ୍ୟକ ସ୍ଥଳେ ଅତିରିକ୍ତ ପୁଲିସ ଫୋର୍ସ କିମ୍ବା ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯିବ ଏବଂ ଆବଶ୍ୟକ ସ୍ଥଳେ କର୍ତ୍ତୃପକ୍ଷ ସିସିଟିଭି କ୍ୟାମେରା ବ୍ୟବହାର କରିବେ କିମ୍ବା ଆବଶ୍ୟକ ସ୍ଥଳେ ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ଭିଡିଓ ରେକର୍ଡିଂ କରିବେ। ସିସିଟିଭି ଫୁଟେଜ୍‌କୁ ସଂରକ୍ଷିତ ରଖାଯିବ’ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି।
ନୁହରେ ସାମ୍ପ୍ରଦାୟିକ ହିଂସା କାଣ୍ଡ ପରେ ଦିଲ୍ଲୀ-ଏନସିଆରରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ଏବଂ ବଜରଙ୍ଗ ଦଳ ଦ୍ୱାରା ଘୋଷିତ ରାଲିକୁ ବନ୍ଦ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରାଯାଇଥିଲା। ଯେହେତୁ ନୁହ ଓ ଗୁରୁଗାଓଁରେ ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଛି ଏବଂ ସାମାନ୍ୟ ଉତ୍ତେଜନା ମଧ୍ୟ ଗୁରୁତର ଜୀବନ ହାନି ଏବଂ ସମ୍ପତ୍ତିର କ୍ଷୟକ୍ଷତି କରିପାରେ, ତେଣୁ ସାମ୍ପ୍ରଦାୟିକ ନିଆଁ ଲାଗିବା ଏବଂ ଲୋକଙ୍କୁ ହିଂସା କରିବାକୁ ଉତ୍ସାହିତ କରିବାର ସମ୍ଭାବନା ଥିବା ରାଲିକୁ ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି ଆଗତ ଆବେଦନରେ ଦର୍ଶାଯାଇଥିଲା।

ଉଲ୍ଲେଖଯୋଗ୍ୟ, ସଂପ୍ରତି ଦିଲ୍ଲୀର ବଦରପୁର ଓ ସିଲମପୁର ଅଞ୍ଚଳରେ ହିନ୍ଦୁ ସଂଗଠନମାନେ ଏହି ହିଂସାକାଣ୍ଡକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ହରିୟାଣାର ନୁହରେ ହୋଇଥିବା ହିଂସାତ୍ମକ ସଂଘର୍ଷକୁ ବିରୋଧ କରି ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଦିଲ୍ଲୀର ନିର୍ମାଣ ବିହାର ମେଟ୍ରୋ ଷ୍ଟେସନ ନିକଟରେ ବଜରଙ୍ଗ ଦଳର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ବିକ୍ଷୋଭକୁ ଦୃଷ୍ଟିରେ ରଖି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ହରିୟାଣାରେ ଘଟିଥିବା ହିଂସାକାଣ୍ଡ ପରେ ଗୁରୁଗ୍ରାମର ବାଦଶାହପୁରରେ ରାପିଡ୍‌ ଆକ୍ସନ ଫୋର୍ସ ଯବାନମାନେ ଫ୍ଲାଗ୍‌ ମାର୍ଚ୍ଚ କରିଛନ୍ତି।

ସମ୍ବନ୍ଧିତ ଖବର