ରାଜ କୁନ୍ଦ୍ରାଙ୍କ ୯୭. ୭୯ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ 

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ୯୭. ୭୯ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିଛି । ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ରାଜଙ୍କ ଜୁହୁସ୍ଥିତ ଘର ବି ରହିଛି। ଯାହାକି ଶିଳ୍ପାଙ୍କ ନାମରେ ଥିବା ଜଣାପଡ଼ିଛି। ଏତଦ ବ୍ୟତୀତ ପୁଣେରେ ଥିବା ଏକ ବଙ୍ଗଳା ଓ ରାଜଙ୍କ ନାମରେ ଥିବା ଇକ୍ୟୁଟି ସେୟାରକୁ ବି ଇଡ଼ି ଜବତ କରିଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମହାରାଷ୍ଟ୍ର ପୁଲିସ୍‌ ଓ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ରୁଜୁ ହୋଇଥିବା ମାମଲା ଆଧାରରେ ଯାଞ୍ଚ ଆରମ୍ଭ କରିଥିଲା। । ପୂର୍ବରୁ ଏହି ଘଟଣାରେ ସମ୍ପୃକ୍ତ ଥିବା ସିମ୍ପି ଭରଦ୍ୱାଜ, ନିତୀନ ଗୌର ଓ ନିଖିଳ ମହାଜନଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଅଜୟ ଭରଦ୍ୱାର ଓ ମହେନ୍ଦ୍ର ଭରଦ୍ୱାଜ ଏବେବି ଫେରାର ଅଛନ୍ତି।

ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଥିଲା କି ଅଭିଯୁକ୍ତମାନେ ୨୦୧୭ରେ ନିବେଶକମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପାଖାପାଖି ୬,୬୦୦ କୋଟି ଟଙ୍କାର ବିଟ କଏନ ସଂଗ୍ରହ କରିଥିଲେ। ଏପରିକି ମାସକୁ ବିଟ କଏନ ଆକାରରେ ୧୦% ପ୍ରଦାନ କରାଯିବ ବୋଲି ବି କହିଥିଲେ।

ଇଡି କରିଥିବା ଯାଞ୍ଚରୁ ଜଣାପଡ଼ିଛି ରାଜ କୁନ୍ଦ୍ରା ଏହି ମାମଲାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଅମିତ ଭରଦ୍ୱାଜଙ୍କ ନିକଟରୁ ୨୮୫ ବିଟ କଏନ ପାଇଥିଲେ। ଏହି ବିଟ କଏନ ପାଇବା ପରେ  ରାଜ କୁନ୍ଦ୍ରା ୟୁକ୍ରେନରେ ବିଟ କଏନ ନିର୍ମାଣ ନିମନ୍ତେ ଏକ ଫ୍ୟାକ୍ଟ୍ରି ସ୍ଥାପନ କରିବେ ବୋଲି ଚୁକ୍ତି କରିଥିଲେ କିନ୍ତୁ ସେସବୁ କିଛି ହୋଇ ପାରିଲା ନାହିଁ। ଅମିତ ଭରଦ୍ୱାଜଙ୍କ ଠାରୁ ପାଇଥିବା ବିଟ କଏନ ଆଜି ବି ରାଜଙ୍କ ପାଖରେ ରହିଛି। ଯାହାର ବର୍ତ୍ତମାନ ମୂଲ୍ୟ ୧୫୦କୋଟି ଟଙ୍କା ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର