ପ୍ରବାସରେ ଓଡ଼ିଆ: ବେଙ୍ଗାଲୁରୁ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଳନ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଆଗରାଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପର୍ବ ପାଳନ କରାଯାଇଛି। ଏଠାରେ ଭୋରରୁ ମଂଗଳ ଆରତୀ, ଅବକାଶ, ମଇଲମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ସାହାଣମେଲା ଆଦି ରୀତିନୀତିକୁ ଯଥାବିଧି ସମ୍ପନ୍ନ କରାଯାଇଥିଲା। ଦିନ ୧୨ ଟା ୧୫ ମିନିଟରେ ଚାରି ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ମନ୍ଦିରର ଟ୍ରଷ୍ଟି ପୁଣ୍ୟଶ୍ଲୋକ ଖୁଣ୍ଟିଆ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିବା ପରେ ଅପରାହ୍ନ ୨ଟା ୩୦ ମିନିଟରେ ରଥଟଣା ଆରମ୍ଭ ହୋଇଥିଲା।

ଚତୁର୍ଦ୍ଧାମୂର୍ତ୍ତି ଆରୋହଣ କରିଥିବା ରଙ୍ଗାରଙ୍ଗ ରଥଟିକୁ ଦୀର୍ଘ ୧ କିମି ପର୍ଯ୍ୟନ୍ତ ଟଣାଯାଇ ସନ୍ଧ୍ୟା ୬ଟା ବେଳେ ମାଉସୀମା ମନ୍ଦିର ନିକଟରେ ପହଞ୍ଚିଥିଲା। ବେଙ୍ଗାଲୁରୁରେ ଆଜି ସକାଳେ ବର୍ଷା ହୋଇ ଛାଡ଼ିଯିବା ପରେ ଦିନତମାମ ପାଗ ମେଘୁଆ ଥିବାରୁ ରଥଯାତ୍ରା ଉତ୍ସବରେ ପ୍ରାୟ ୩୦ ହଜାର ଦର୍ଶକଙ୍କର ସମାଗମ ହୋଇଥିବା ଦେଖା ଯାଇଥିଲା। ମନ୍ଦିରର ଟ୍ରଷ୍ଟି ତଥା ସମ୍ପାଦନା ମଣ୍ଡଳୀ ସଦସ୍ୟ ନିହାର ସାମନ୍ତରା, ଡକ୍ଟର ପ୍ରତାପ ପାଣି, ପରିଚାଳନା ଟ୍ରଷ୍ଟି କାମାକ୍ଷା ପଣ୍ଡା, ଏନ.ଆର.ବି ପଟ୍ଟନାୟକ, ଡଃ ସୀତିକଣ୍ଠ ଷଡ଼ଙ୍ଗୀ, ଏନ.କେ ଜେନା, ଚକ୍ରଧର ସ୍ବାଇଁ, ମନୋଜ ମହାପାତ୍ର, ପ୍ରକାଶ ସାମନ୍ତରା, ଜଷ୍ଟିସ ଜେପି ଉଦଗାତା, ହର ମହାପାତ୍ର, ମନୋଜ ପାତ୍ର ଓ ପୁଣ୍ୟଶ୍ଲୋକ ଖୁଣ୍ଟିଆ ପ୍ରମୁଖ ରଥଯାତ୍ରା ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର