ମଧ୍ୟରାତ୍ରିରେ ପଶ୍ଚିମବଙ୍ଗ-ବାଂଲାଦେଶ ସୀମୀ ନିକଟରେ ସ୍ଥଳଭାଗ ଅତିକ୍ରମ କରିବ ସାମୁଦ୍ରିକ ବାତ୍ୟା ‘ରେମାଲ’, ଭାରତୀୟ ନୌସେନାକୁ ପ୍ରସ୍ତୁତ ରଖାଗଲା, ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ଆରମ୍ଭ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଭୀଷଣ ସାମୁଦ୍ରିକ ବାତ୍ୟା ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ଗତି କରୁଛି । ଏହା ଆଜି ମଧ୍ୟରାତ୍ରୀରେ ପଶ୍ଚିମବଙ୍ଗର ସାଗର ଦ୍ବୀପ ଓ ବାଲାଂଦେଶର ଖେପୁପଡ଼ା ମଧ୍ୟରେ ସ୍ଥଳଭାଗ ଛୁଇଁବ । ଏହାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ପଡିବାରର ସମ୍ଭାବନା କମ ଥିବାବେଳେ କେବଳ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,ଜଗତସିଂହପୁର ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ଏସବୁ ଜିଲ୍ଲା ପାଇଁ ହଳଦିଆ ସତର୍କତା ଜାରି କରାଯାଇଛି ।

ସାମୁଦ୍ରିକ ଝଡ଼ ‘ରେମାଲ’ ପରେ ବିପର୍ଯ୍ୟୟ ମୁକାବିଲା ପାଇଁ ଭାରତୀୟ ନୌସେନା ବର୍ତ୍ତମାନର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍ଓପି) ଅନୁସରଣ କରି ପ୍ରସ୍ତୁତି ଆରମ୍ଭ କରିଛି। ୨୦୨୪ ମେ’ ୨୬/୨୭ ମଧ୍ୟରାତ୍ରିରେ ଏହି ବାତ୍ୟା ଉପକୂଳ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ନୌସେନା ମୁଖ୍ୟାଳୟରେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଏଥିସହ ପୂର୍ବ ନୌସେନା କମାଣ୍ଡ ମୁଖ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ପ୍ରଭାବିତ ଲୋକଙ୍କ ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଭାରତୀୟ ନୌସେନା ତୁରନ୍ତ ମୁତୟନ ପାଇଁ ଏଚ୍ଏଡିଆର ଏବଂ ଚିକିତ୍ସା ସାମଗ୍ରୀ ସହିତ ସଜ୍ଜିତ ଦୁଇଟି ଜାହାଜକୁ ପ୍ରସ୍ତୁତ କରିଛି। ଏହାବ୍ୟତୀତ ଭାରତୀୟ ନୌସେନାର ସି କିଙ୍ଗ୍ ଓ ଚେତକ ହେଲିକପ୍ଟର ସହ ଡୋର୍ନିୟର ବିମାନ ମଧ୍ୟ ଶୀଘ୍ର ଜବାବ ଦେବା ପାଇଁ ପ୍ରସ୍ତୁତ ରହିଛି।

ସମ୍ବନ୍ଧିତ ଖବର