ଏନ୍‌ଟିଏ କାର୍ଯ୍ୟାଳୟରେ ଧସେଇ ପଶିଲେ ଛାତ୍ର କଂଗ୍ରେସ କର୍ମୀ

ନୂଆଦିଲ୍ଲୀ: ନିଟ୍ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ପ୍ରତିବାଦରେ କଂଗ୍ରେସର ଛାତ୍ର ସଂଗଠନ ଏନ୍ଏସ୍‌ୟୁଆଇର କେତେକ ସଦସ୍ୟ ଗୁରୁବାର ଦିଲ୍ଲୀ ସ୍ଥିତ ଏନ୍‌ଟିଏ ମୁଖ୍ୟ କାର୍ଯ୍ୟାଳୟରେ ଧସେଇ ପଶି ବାହାରୁ ତାଲା ପକାଇ ଦେଇଥିଲେ। ହାତରେ ଚେନ୍ ଓ ତାଲା ଧରି ବିକ୍ଷୋଭକାରୀମାନେ ଦିଲ୍ଲୀର ଓଖଲାରେ ଥିବା ଏନ୍‌ଟିଏ କାର୍ଯ୍ୟାଳୟରେ ପଶିବା ଭିଡିଓ ଭାଇରାଲ ହୋଇଛି। ଛାତ୍ର କଂଗ୍ରେସ ସଦସ୍ୟମାନେ ‘ଏନ୍‌ଟିଏ ବନ୍ଦ କର’ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥିଲା ।

ଏହି ଘଟଣା ଜଣାପଡ଼ିବା ପରେ ପୁଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟେଷ୍ଟିଂ ଏଜେନ୍ସି କାର୍ଯ୍ୟାଳୟରେ ଏକତ୍ରିତ ବିକ୍ଷୋଭକାରୀଙ୍କୁ ହଟାଇବା ଆରମ୍ଭ କରିଥିଲେ। ଅନ୍ୟପକ୍ଷରେ ନିଟ୍ ୟୁଜି ପରୀକ୍ଷାରେ ଜାଲିଆତି ଅଭିଯୋଗରେ ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ଜନ୍ତରମନ୍ତର ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୂଚନାଯୋଗ୍ୟ, ମେ’ ୫ ତାରିଖରେ ୪୭୫୦ଟି କେନ୍ଦ୍ରରେ ନିଟ୍-ୟୁଜି ପରୀକ୍ଷା ଆୟୋଜନ କରିଥିବା ଏନ୍‌ଟିଏ ବିରୋଧରେ ଅନିୟମିତତା ଏବଂ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ବିବାଦ ଲାଗି ରହିଥିବା ବେଳେ ଛାତ୍ର ଓ ଯୁବ କଂଗ୍ରେସର ଏଭଳି ଆନ୍ଦୋଳନାତ୍ମକ ପଦକ୍ଷେପ ଚର୍ଚ୍ଚାରେ ରହିଛି।

ସମ୍ବନ୍ଧିତ ଖବର