ନୂଆଦିଲ୍ଲୀ: ମଙ୍ଗଳବାର ସୁପ୍ରିମକୋର୍ଟରେ ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ବିବାଦୀୟ ପୋଲାଭରମ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ସମ୍ପର୍କିତ ମାମଲାର ଅନ୍ତରୀଣ ଶୁଣାଣି ହୋଇଛି। ପୋଲାଭରମ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତାକୁ ବିରୋଧ କରି ଓଡ଼ିଶା ପକ୍ଷରୁ କରାଯାଇଥିବା ମାମଲାର ଶୁଣାଣି କରି ଖଣ୍ଡପୀଠ ଏହି ମାମଲାରେ ତେଲେଙ୍ଗାନା ଓ ଛତିଶଗଡ଼କୁ ପକ୍ଷଭୁକ୍ତ କରିବା ସହ ଦୀର୍ଘ ଦିନ ଧରି ଅଦାଲତଙ୍କ ନୋଟିସର ଉତ୍ତର ରଖୁ ନଥିବାରୁ କେନ୍ଦ୍ର ସରକାରଙ୍କୁ ୨୫,୦୦୦ଟଙ୍କା ଜରିମାନା କରିଛନ୍ତି। ଓଡ଼ିଶାର ଆପତ୍ତି ନେଇ କେନ୍ଦ୍ର ସରକାରଙ୍କୁ ଦୁଇ ସପ୍ତାହ ଭିତରେ ପକ୍ଷ ରଖିବା ଲାଗି ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ।

Advertisment

ଉଲ୍ଲେଖଯୋଗ୍ୟ କି ଗତ ଶୁକ୍ରବାର ଦିନ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ପାଇଁ ଓକିଲ ରାଧେଶ୍ୟାମ ଜେନା ଆବେଦନ କରିଥିଲେ। ବର୍ତ୍ତମାନ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଦ୍ୱାରା ପୋଲାଭରମ ପ୍ରକଳ୍ପ ବିରୋଧରେ ଏକାଧିକ ମାମଲା ବିଚାର ଅପେକ୍ଷାରେ ରହିଥିବାବେଳେ ଦୀର୍ଘ ଦିନରୁ କୌଣସି ଶୁଣାଣି ହୋଇ ନ ଥଲା।

୨୦୧୬ ଅକ୍ଟୋବର ପହିଲାରେ ରାଜ୍ୟ ସରକାର ପିଟିସନ୍ ଦାଖଲ କରିଥିଲେ। ଓଡ଼ିଶା ସରକାରଙ୍କ ଦ୍ୱାରା ଆନ୍ଧ୍ରପ୍ରଦେଶ ପୁର୍ନଗଠନ ଆଇନର ଧାରା ୯୦କୁ ମଧ୍ୟ ଚ୍ୟାଲେଞ୍ଜ କରାଯାଇଥିଲା। ଆନ୍ଧ୍ରପ୍ରଦେଶ ପୁର୍ନଗଠନ ଆଇନର ଧାରା ୯୦ ଅନ୍ତର୍ଗତ ପୋଲାଭରମ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ମିଳିଥିଲା। ମାମଲାରେ କର୍ଣ୍ଣାଟକ ଓ ମହାରାଷ୍ଟ୍ରକୁ ପକ୍ଷଭୁକ୍ତ କରିବା ଆବେଦନକୁ ପୂର୍ବରୁ କୋର୍ଟ ଗ୍ରହଣ କରିଥିଲେ। ଏହାପରେ ତେଲେଙ୍ଗାନା ଓ ଛତିଶଗଡ଼କୁ ପକ୍ଷଭୁକ୍ତ କରିବା ଲାଗି ରାଜ୍ୟ ଆବେଦନ କରିଥିଲା। ସୁପ୍ରିମକୋର୍ଟ ଓଡ଼ିଶାର ଆବେଦନ ଗ୍ରହଣ କରି କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କୁ ନୋଟିସ ଜାରି କରି ଜବାବ ତଲବ କରିଥିଲେ। ହେଲେ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଦୀର୍ଘଦିନ ଧରି ନହେବା ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ଏହି ପ୍ରକଳ୍ପ କାର୍ଯ୍ୟକୁ ଶେଷ କରିବାପାଇଁ କରାଯାଉଥିବା ପ୍ରୟାସ ପୃଷ୍ଠଭୂମିରେ ଏହି ମାମଲାର ତ୍ୱରିତ ଶୁଣାଣି ପାଇଁ ରାଜ୍ୟ ସରକାରଙ୍କ ଓକିଲ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।