କେରଳ ବିଜେପି ପାଇଁ ଚିନ୍ତା ବଢ଼ାଇଲେ ସୁରେଶ ଗୋପୀ

ତିରୁଅନନ୍ତପୁରମ: କେରଳର ତ୍ରିଶୂର ଲୋକସଭା ନିର୍ବାଚନରେ ବିଜେପି ପରାଜୟର ଧାରା ଭାଙ୍ଗିଥିବା ଅଭିନେତା ତଥା ରାଜନେତା ସୁରେଶ ଗୋପୀ ନରେନ୍ଦ୍ର ମୋଦୀ ସରକାରରେ କେନ୍ଦ୍ରମନ୍ତ୍ରୀ ହେବା ସମ୍ଭାବନା ରହିଛି। କିନ୍ତୁ ଦଳୀୟ ରାଜ୍ୟ ନେତୃତ୍ୱ ପାଇଁ ଚିନ୍ତାର ବିଷୟ ହେଉଛି, ଜନସାଧାରଣଙ୍କ ସହ କଥାବାର୍ତ୍ତା ସମୟରେ ସାଂସଦଙ୍କ ଆଭିମୁଖ୍ୟ ଏବଂ ନିଜ ଦଳର ଆଦର୍ଶକୁ ସର୍ବସାଧାରଣରେ ସ୍ୱୀକାର କରିବାକୁ ମନା କରିବା। ଗୋପୀଙ୍କ ଏଭଳି ନୀତି ରାଜ୍ୟ ନେତାଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏ ବାବଦରେ କେନ୍ଦ୍ର ନେତୃତ୍ବ ଭଲ ଭାବେ ଅବଗତ ଥିବା କୁହାଯାଉଛି।

ଯଦିଓ ଗୋପୀ କେବେ ବି ରାଜ୍ୟ ନେତୃତ୍ୱଙ୍କ ସହ ମୁହାଁମୁହିଁ ହୋଇ ନାହାନ୍ତି, ତଥାପି ସେ ୨୦୧୬ରେ ଦଳରେ ଯୋଗ ଦେବା ପରଠାରୁ ବିଜେପିର ସାଂଗଠନିକ କାର୍ଯ୍ୟରୁ ଦୂରେଇ ରହିଥିଲେ। ସେ ସାର୍ବଜନୀନ ଭାବରେ ଘୋଷଣା କରିବାକୁ ପଛଘୁଞ୍ଚା ଦେଇ ନ ଥିଲେ ଯେ ତାଙ୍କର ପ୍ରଥମ ଆନୁଗତ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହଙ୍କ ପ୍ରତି ଅଛି ଓ ସେ ସେମାନଙ୍କୁ ମାନିବେ। କିନ୍ତୁ ତ୍ରିଶୂର ଓ ଅନ୍ୟାନ୍ୟ ନିର୍ବାଚନମଣ୍ଡଳୀରେ ଭୋଟର ସଂଖ୍ୟା ଓ ଦଳର ଗ୍ରହଣୀୟତା ବୃଦ୍ଧି ପାଇଁ ସେମାନଙ୍କ ପ୍ରୟାସକୁ ଉପଯୁକ୍ତ ଭାବେ ଗ୍ରହଣ କରାଯିବା ଉଚିତ ବୋଲି ରାଜ୍ୟ ନେତାମାନେ ଅନୁଭବ କରୁଛନ୍ତି। ଅସନ୍ତୁଷ୍ଟ ନେତା ଶୋଭା ସୁରେନ୍ଦ୍ରନଙ୍କ ଭଳି ଗୋପୀଙ୍କ ରାଜ୍ୟ ଶାଖା ପ୍ରତି ଉଦାସୀନ ମନୋଭାବ ମୁଖ୍ୟତଃ ଦଳୀୟ ରାଜନୀତିର ଗତିଶୀଳତା ଓ ସଂଗଠନକୁ ପ୍ରଭାବିତ କରିପାରେ ବୋଲି କୁହାଯାଉଛି। ଫଳାଫଳ ଘୋଷଣା ପରେ ବିଜେପି ରାଜ୍ୟ ମୁଖ୍ୟାଳୟରେ ରାଜୀବ ଚନ୍ଦ୍ରଶେଖର ଓ ଭି ମୁରଲୀଧରନଙ୍କ ସହ ଗୋପୀଙ୍କ ସ୍ୱାଗତ କାର୍ଯ୍ୟକ୍ରମରେ ଗୋପୀଙ୍କ ପ୍ରତିକ୍ରିୟାକୁ ନେଇ ରାଜ୍ୟ ନେତାମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଗୋପୀ କହିଛନ୍ତି ଯେ ଲୋକମାନେ ଅଣରାଜନୈତିକ ଆଭିମୁଖ୍ୟ ଗ୍ରହଣ କରିବା ଆରମ୍ଭ କରିଛନ୍ତି ଏବଂ ତ୍ରିଶୂରରେ ତାଙ୍କର ବିଜୟ ଏହାର ପ୍ରମାଣ। ଏହାପରେ ଜଣେ ରାଜ୍ୟ ବିଜେପି ନେତା ଏଭଳି ବୟାନ ପାଇଁ ଗୋପୀଙ୍କୁ ସମାଲୋଚନା କରିଛନ୍ତି। ତାଙ୍କୁ ଯଦି କେନ୍ଦ୍ରମନ୍ତ୍ରୀ କରାଯାଏ, ତେବେ ତାଙ୍କୁ ନିୟନ୍ତ୍ରଣ କରିବା ରାଜ୍ୟ ନେତାଙ୍କ ପାଇଁ କଷ୍ଟକର ହେବ ବୋଲି ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି। ତେବେ ଗୋପୀ ଏକ ସମାନ୍ତରାଳ କ୍ଷମତା କେନ୍ଦ୍ର ଭାବେ ଉଭା ହେବାର ସମ୍ଭାବନାକୁ ଅନେକ ବରିଷ୍ଠ ନେତା ପ୍ରତ୍ୟାଖ୍ୟାନ କରିଛନ୍ତି।

ସମ୍ବନ୍ଧିତ ଖବର