ଆତଙ୍କ ସୃଷ୍ଟି କରୁଛି ଟିଡିପି: ୱାଇଏସ୍‌ଆର୍‌ସିପି

ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶର କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ଗୁରୁବାର ଅଭିଯୋଗ କରିଛି ଯେ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ରାଜ୍ୟରେ ସଦ୍ୟତମ ବିଧାନସଭା ନିର୍ବାଚନ ଜିତି ନୂତନ ସରକାର ଗଠନ କରିବା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଓ ଆତଙ୍କ ସୃଷ୍ଟି କରୁଛି। ରାଜ୍ୟସଭା ସାଂସଦ ଏସ୍ ନିରଞ୍ଜନ ରେଡ୍ଡୀଙ୍କ ନେତୃତ୍ୱରେ ୱାଇଏସ୍‌ଆର୍‌ସିପି ନେତାଙ୍କ ଏକ ପ୍ରତିନିଧି ଦଳ ବିଜୟୱାଡ଼ା ସ୍ଥିତ ରାଜଭବନରେ ରାଜ୍ୟପାଳ ଏସ୍ ଅବଦୁଲ ନାଜିରଙ୍କୁ ଭେଟି ଟିଡିପି ଦ୍ୱାରା ସେମାନଙ୍କ ଦଳର ନେତାଙ୍କ ଉପରେ ହୋଇଥିବା ହିଂସାତ୍ମକ ଆକ୍ରମଣ ବିରୋଧରେ ଅଭିଯୋଗ କରିଥିଲେ। ରେଡ୍ଡୀ ଅଭିଯୋଗ କରିଛନ୍ତି ଯେ ଗତ ଦୁଇ ଦିନ ମଧ୍ୟରେ ୱାଇଏସ୍‌ଆର୍‌ସିପିର କର୍ମୀ ଓ ସମର୍ଥକଙ୍କ ଉପରେ ଟିଡିପି ନେତା ଓ କ୍ୟାଡରମାନେ ଆକ୍ରମଣ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏସ୍‌ସି, ଏସ୍‌ଟି, ସଂଖ୍ୟାଲଘୁ ଏବଂ ଓବିସି ବର୍ଗର ୱାଇଏସ୍‌ଆର୍‌ସିପି ସମର୍ଥକଙ୍କୁ ଟିଡିପି ନେତାମାନେ ଆକ୍ରମଣ କରୁଛନ୍ତି, ଏପରିକି ହତ୍ୟା ଧମକ ଦେବା ସହ ସେମାନଙ୍କ ଗାଁ ଓ ଘର ଛାଡିବାକୁ ବାଧ୍ୟ କରୁଛନ୍ତି। ସେମାନଙ୍କ ସମ୍ପତ୍ତିକୁ ଯୋଜନାବଦ୍ଧ ଭାବେ ନଷ୍ଟ କରାଯାଉଛି ବୋଲି ୱାଇଏସ୍‌ଆର୍‌ସିପି ସାଂସଦ ଅଭିଯୋଗ କରିଛନ୍ତି। ରେଡ୍ଡୀ ରାଜ୍ୟପାଳଙ୍କୁ ହସ୍ତକ୍ଷେପ କରି ଆଇନଶୃଙ୍ଖଳା ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି।

ଏହା ପୂର୍ବରୁ ଜଗନ୍ ଏକ୍ସରେ ଅଭିଯୋଗ କରିଥିଲେ ଯେ ଟିଡିପି ଆନୁଷ୍ଠାନିକ ଭାବେ ସରକାର ଗଠନ କରିବା ପୂର୍ବରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରୁଛି। ଗ୍ରାମ ସଚିବାଳୟ ଓ ରଇତୁ ଭରସା କେନ୍ଦ୍ର ଭଳି ବେସରକାରୀ ଓ ସରକାରୀ ସମ୍ପତ୍ତି ନଷ୍ଟ କରାଯାଉଛି। ୱାଇଏସ୍‌ଆର୍‌ସିପି ନେତା ଓ କର୍ମୀଙ୍କ ପାଇଁ କୌଣସି ନିରାପତ୍ତା ନାହିଁ ବୋଲି ବିଦାୟୀ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର