ଏଆଇ-ଜନିତ ଉତ୍ତରକୁ ଜାଣି ନ ପାରି ଶିକ୍ଷକ ଅଧିକ ମାର୍କ ଦେଇପାରନ୍ତି: ଅଧ୍ୟୟନ

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଅଧିକାଂଶ ଶିଳ୍ପକୁ ଅକ୍ତିଆରକୁ କରିଛି, ଅନେକ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ଏବଂ ଶିକ୍ଷା କ୍ଷେତ୍ର ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ। ତେବେ ବ୍ରିଟେନର ୟୁନିଭର୍ସିଟି ଅଫ୍ ରିଡିଂର ଏକ ନୂତନ ଅଧ୍ୟୟନ ସାମ୍ନାକୁ ଆସିଛି। ଛାତ୍ରଛାତ୍ରୀମାନେ ଏଆଇ ଉପକରଣର ଅପବ୍ୟବହାର କରି ପରୀକ୍ଷାରେ ଚିଟିଂ (କପି) କରିବା ଏବଂ କପି କରୁ ନ ଥିବା ସେମାନଙ୍କ ସାଥୀଙ୍କ ତୁଳନାରେ ଅଧିକ ମାର୍କ ରଖିବାର ସମ୍ଭାବନାକୁ ନେଇ ଗମ୍ଭୀର ଚିନ୍ତା ପ୍ରକାଶ ପାଇଛି।

ଏଆଇ ଦ୍ୱାରା ସୃଷ୍ଟି ହୋଇଥିବା ପରୀକ୍ଷା ଉତ୍ତର ଏବଂ ପ୍ରକୃତ ଛାତ୍ରଛାତ୍ରୀଙ୍କ ଦ୍ୱାରା ଲିଖିତ ଉତ୍ତର ମଧ୍ୟରେ ମାନବ ପରୀକ୍ଷକମାନେ ପାର୍ଥକ୍ୟ କରିପାରୁଛନ୍ତି କି ନାହିଁ ଜାଣିବା ପାଇଁ ଏକ ଅନୁଧ୍ୟାନ କରାଯାଇଥିଲା। ୟୁନିଭର୍ସିଟି ଅଫ୍ ରିଡିଂ (ବ୍ରିଟେନ୍)ର ମନୋବିଜ୍ଞାନ ଆସୋସିଏଟ୍ ପ୍ରଫେସର ପିଟର ସ୍କାର୍ଫ ତାଙ୍କ ଟିମ୍ ସହ ମିଶି କରିଥିବା ଅଧ୍ୟୟନ ତଥ୍ୟ ‘ପିଏଲ୍ଓଏସ୍ ଵାନ୍’ ପତ୍ରିକା (ଜୁନ୍ ୨୬, ୨୦୨୪)ରେ ପ୍ରକାଶ ପାଇଛି। ଏହି ଅଧ୍ୟୟନ ପାଇଁ ଗବେଷକମାନେ ଜିପିଟି-୪ ବ୍ୟବହାର କରିଥିଲେ, ଯାହା ଓପନଏଆଇ ଦ୍ୱାରା ବିକଶିତ ଏକ ଉନ୍ନତ ଏଆଇ ଭାଷା ମଡେଲ।

ସେମାନେ ଏହି ଏଆଇଜନିତ ଉତ୍ତରଗୁଡ଼ିକୁ ବିଶ୍ୱବିଦ୍ୟାଳୟ ପରୀକ୍ଷକଙ୍କ ନିକଟରେ ଦାଖଲ କରିଥିଲେ, ଯେଉଁଥିରେ ୩୩ ଜଣ ନକଲି ଛାତ୍ରଛାତ୍ରୀଙ୍କ ଉତ୍ତର ରଖାଯାଇଥିଲା। କେଉଁ ଉତ୍ତର ଏଆଇ-ଉତ୍ପନ୍ନ ଏବଂ କେଉଁଟି ବାସ୍ତବ ସେ ବିଷୟରେ ଅଜ୍ଞ ଥିବା ପରୀକ୍ଷକମାନଙ୍କୁ ଉଭୟ କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନ (୨୦୦ ଶବ୍ଦ ଭିତରେ) ଓ ପ୍ରବନ୍ଧଭିତ୍ତିକ ପ୍ରଶ୍ନ (୧୫୦୦ ଶବ୍ଦ ଭିତରେ)ର ଉତ୍ତର ପାଇଁ ମାର୍କ ଦେବାକୁ କୁହାଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ପରୀକ୍ଷକମାନେ ଏଆଇ ଉତ୍ତରର ମାତ୍ର ୬ ପ୍ରତିଶତ ଚିହ୍ନଟ କରିଥିଲେ, ଅର୍ଥାତ୍ ଏଆଇ-ଜନିତ ୯୪ ପ୍ରତିଶତ ଉତ୍ତର ଚିହ୍ନଟ ହୋଇପାରି ନ ଥିଲା। ଫଳରେ ପ୍ରକୃତ ଛାତ୍ରଛାତ୍ରୀଙ୍କ ଦ୍ୱାରା ଲିଖିତ ଉତ୍ତର ତୁଳନାରେ ନକଲିମାନେ ଅଧିକ ମାର୍କ ପାଇଥିଲେ। ଏଣୁ ଶିକ୍ଷାନୁଷ୍ଠାନଗୁଡ଼ିକ ମୂଲ୍ୟାୟନ ପଦ୍ଧତି ଉପରେ ପୁନର୍ବିଚାର କରିବା ଏବଂ ଏଆଇ ସହାୟତାରେ ଠକେଇ ରୋକିବା ପାଇଁ ରଣନୀତି ବିକଶିତ କରିବାର ଜରୁରୀ ଆବଶ୍ୟକତା ଉପରେ ଏହି ଅଧ୍ୟୟନରେ ଆଲୋକପାତ କରାଯାଇଛି।

ସମ୍ବନ୍ଧିତ ଖବର