ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ
ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କୁ ଜୋଲିଗ୍ରାଣ୍ଟସ୍ଥିତ ହିମାଳୟନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଲାଗିଥିବା ଜଣାଯାଇଛି । ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିବାର ସୂଚନା ମିଳିଛି । ଉତ୍ତରାଖଣ୍ଡର ଋଷିକେଶରେ ଗୋଡ଼ଖସିଯିବାରୁ ତାଙ୍କ ପାଦରେ ଫ୍ରାକଚର୍ ହୋଇଥିବା କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ଗତ ରବିବାର ଅପରାହ୍ନରେ ଋଷିକେଶରେ ଥିବା ବ୍ରହ୍ମପୁରୀ ଆଶ୍ରମକୁ ଉମାଭାରତୀ ଯାଇଥିଲେ। ସେଠାରେ ସେ ଖସିପଡ଼ିଥିଲେ । ପ୍ରଥମେ ସେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ, କିନ୍ତୁ ପରେ ଏହା ବଢ଼ିବାରୁ ଗତକାଲି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଦୁର୍ଘଟଣା ସଂପର୍କରେ ନଜେ ଉମାଭାରତୀ ଟୁଇଟରରେ ସୂଚନା ଦେଇଛନ୍ତି ।
ଆଘାତ ପାଇବା ପରେ ସେ ଟୁଇଟରରେ ଲେଖିଛନ୍ତି,‘ ମୋର ଗୋଡ଼ରେ ପ୍ଲାଷ୍ଟର ଲଗାଯାଇଛି ଏବଂ ଆଗାମୀ ଏକ ମାସ ଯାଏଁ ଏହା ରହିବ । ଡାକ୍ତରୀ ଟିମ ମୋତେ ୨୪ ଘଣ୍ଟା ହସ୍ପିଟାଲରେ ରହିବାକୁ ପରାମର୍ଶ ଦେଇଛନ୍ତି । ’