ରାଜ୍ୟସଭାରେ ଆଗତ ହେଲା ସମାନ ନାଗରିକ ସଂହିତା ବିଲ୍

ବିରୋଧୀ ଦଳଙ୍କ ଜୋରଦାର ପ୍ରତିବାଦ

ନୂଆଦିଲ୍ଲୀ : ରାଜ୍ୟସଭାରେ ଶୁକ୍ରବାର ଦିନ ସମାନ ନାଗରିକ ସଂହିତା (ୟୁସିସି) ଉପରେ ଏକ ଘରୋଇ ସଦସ୍ୟ ବିଲ୍‌ ଆଗତ ହୋଇଛି । ଏହି ବିଲ୍‌କୁ ନେଇ ରାଜ୍ୟସଭାରେ ବିରୋଧୀ ଦଳମାନେ ଜୋରଦାର ପ୍ରତିବାଦ କରିବା ସତ୍ତ୍ବେ ବିଲ୍‌ ରାଜ୍ୟ ସଭାରେ ଉପସ୍ଥାପନ କରାଯାଇଛି । ଆଜି ମଧ୍ୟାହ୍ନ ଭୋଜନ ପରେ ରାଜ୍ୟସଭାରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପ୍ରଥମେ ବିଜେପି ସାଂସଦ କିରୋଡ଼ି ଲାଲ ମୀନା ‘ସମାନ ନାଗରିକ ସଂହିତା ବିଲ୍‌’ ଆଗତ କରିଥିଲେ। ଏହି ବିଲ୍‌ ଉପସ୍ଥାପନ ହେବାମାତ୍ରେ କଂଗ୍ରେସ, ଆର୍‌ଜେଡି, ସିପିଆଇ, ସିପିଏମ୍‌ ଏବଂ ଟିଏମ୍‌ସି ସାଂସଦମାନେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ ଏବଂ ଏହି ବିଲ୍‌ ଦେଶର ଏକତା ପ୍ରତି ବିପଦ ସୃଷ୍ଟି କରିବ ବୋଲି କହିଥିଲେ।

ସମାନ ନାଗରିକ ସଂହିତା ବିଲ୍‌କୁ ଆଗତ କରିବା ପାଇଁ ଅନୁମତି ନଦେବାକୁ ବିରୋଧୀ ଦଳ ସାଂସଦମାନେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ନିବେଦନ କରିଥିଲେ। ତେବେ ହଟ୍ଟଗୋଳ ବଢ଼ିବା ପରେ ବି ଏହି ବିଲ୍‌କୁ ପ୍ରତ୍ୟାହାର କରିବା ପାଇଁ ବିଜେପି ସାଂସଦ କିରୋଡ଼ି ଲାଲ ମନା କରିଦେଇଥିଲେ। ଏହା ପରେ ଅଧ୍ୟକ୍ଷ ଧନଖଡ଼ ବିରୋଧୀ ଦଳର ଦାବି ଉପରେ ଏହି ବିଲ୍‌କୁ ନେଇ ମତ ବିଭାଜନ କରାଇଥିଲେ। ଏଥିରେ ବିଜେପି ସାଂସଦଙ୍କ ପ୍ରସ୍ତାବ କାଏମ ରହିଥିଲା। ବିଲ୍‌ ଆଗତ ବିରୋଧରେ ୨୩ ମତ ପଡ଼ିଥିବା ବେଳେ ସପକ୍ଷରେ ୬୩ ମତ ଆସିଥିବାରୁ ବିଲ୍‌କୁ ଆଗତ କରିବା ପାଇଁ ଅନୁମତି ମିଳିଥିଲା। ସୂଚନାଯୋଗ୍ୟ, ବିଜେପି ସର୍ବଦା ସମାନ ନାଗରିକ ସଂହିତା ବିଲ୍‌ ସପକ୍ଷରେ ରହିଛି । ବିଜେପି ବିଭିନ୍ନ ସମୟରେ ଲୋକସଭା ଓ ବିଧାନସଭା ପାଇଁ ନିଜ ନିର୍ବାଚନ ଇସ୍ତାହାରରେ ବି ଏହାକୁ ସାମିଲ କରିଆସିଛି।

ସମ୍ବନ୍ଧିତ ଖବର