କେବେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ ଚନ୍ଦ୍ରଯାନ-୩ ?

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ତୃତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୩କୁ ସଫଳତାର ସହ ଉତକ୍ଷେପଣ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଶୁକ୍ରବାର ଅପରାହ୍ନ ୨ଟା ୩୫ ମିନିଟରେ ଚନ୍ଦ୍ରଯାନ-୩ ଉତକ୍ଷେପଣ କରାଯାଇଛି । ଏହା ପରେ ଏବେ ସମସ୍ତଙ୍କ ଆଖି ଚନ୍ଦ୍ରପୃଷ୍ଠରେ ଏହାର ସଫ୍ଟ ଲାଣ୍ଡିଙ୍ଗ୍ (ନିୟନ୍ତ୍ରିତ ଅବତରଣ) ଉପରେ ରହିଛି ।

ଚନ୍ଦ୍ରଯାନ-୩ ମହାକାଶଯାନରେ ୩ଟି ଲ୍ୟାଣ୍ଡର/ରୋଭର ଏବଂ ପ୍ରୋପଲସନ ମଡ୍ୟୁଲ ରହିଛି । ପ୍ରାୟ ୪୦ ଦିନ ପରେ ଅର୍ଥାତ୍ ଅଗଷ୍ଟ ୨୩ କିମ୍ବା ୨୪ତାରିଖରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବେ । ଦୁହେଁ ୧୪ ଦିନ ଧରି ଚନ୍ଦ୍ରର କକ୍ଷପଥରେ ପରିକ୍ରମଣ କରିବା ପରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବେ । କିନ୍ତୁ ପ୍ରୋପଲସନ ମଡ୍ୟୁଲ ଚନ୍ଦ୍ରର ପରିକ୍ରମଣ କରି ଚନ୍ଦ୍ରକୁ ପୃଥିବୀକୁ ଆସୁଥିବା ବିକିରଣ ଉପରେ ଅଧ୍ୟୟନ କରିବ ।

ଇସ୍ରୋ ମୁଖ୍ୟ ଏସ.ସୋମନାଥ କହିଛନ୍ତି ଯେ ଚନ୍ଦ୍ରଯାନ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିସାରିଛି । ଏହି ମିସନ ମାଧ୍ୟମରେ ଚନ୍ଦ୍ର ଉପରେ ପୃଥିବୀର ବିକିରଣର ଅଧ୍ୟୟନ କରାଯିବ । ସେହିପରି ଚନ୍ଦ୍ର ପୃଷ୍ଠର ମାଟି ଓ ଧୂଳିର ଅଧ୍ୟୟନ ବି କରାଯିବ ।

ଯଦି ଚନ୍ଦ୍ରଯାନ-୩ ସଫ​ଳତାର ସହ ଚନ୍ଦ୍ରରେ ଅବତରଣ କରେ, ତେବେ ଏହା କରିବାରେ ଭାରତ ଚତୁର୍ଥ ଦେଶ ହୋଇଯିବ। ଏହା ପୂର୍ବରୁ ଆମେରିକା, ରୁଷିଆ ଓ ଚାଇନା ନିଜର ମହାକାଶଯାନକୁ ଚନ୍ଦ୍ରରେ ଅବତରଣ କରିସାରିଛନ୍ତି।

ସମ୍ବନ୍ଧିତ ଖବର