୬୫୦ ଫୁଟ ଉଚ୍ଚ ତୀଖରୁ ଖସିପଡ଼ି ମହିଳା ଜୀବିତ

ଭିଏନା(ଅଷ୍ଟ୍ରିଆ) : ଅଷ୍ଟ୍ରିଆର କାରାନ୍ଥିଆରେ ଜଣେ ଯୁବତୀ ନିଜ ପ୍ରଣୟ ସାଥୀଙ୍କୁ ବାହାହେବାକୁ ରାଜି ହେବାର କିଛି ସମୟ ପରେ ୬୫୦ ଫୁଟ ଉଚ୍ଚ ଏକ ତୀଖରୁ ଖସିପଡ଼ିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ତେବେ ଏହି ପ୍ରେମୀଯୁଗଳଙ୍କ ଦାମ୍ପତ୍ୟ ଜୀବନରେ ଏପରି ଦୁଃଖଦ ପରିଣତି ଆସିବା ଆଗରୁ ସଂପୃକ୍ତ ଯୁବତୀ ଜଣକ ସୌଭାଗ୍ୟ କ୍ରମେ ବଞ୍ଚିଯାଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାନୁଯାୟୀ, ଗତ ୨୭ ତାରିଖରେ ଅଷ୍ଟ୍ରିଆର ଫଲକର୍ଟ ପର୍ବତମାଳାରେ ବୁଲୁଥିବା ବେଳେ ୩୨ ବର୍ଷର ଏହି ଯୁବତୀ ଜଣକ ତାଙ୍କ ୨୭ ବର୍ଷୀୟ ପୁରୁଷ ବନ୍ଧୁଙ୍କ ବିବାହ ପ୍ରସ୍ତାବରେ ରାଜି ହୋଇଥିଲେ। ତେବେ କିଛି ସମୟ ପରେ ଅସାବଧାନତାବଶତଃ ତାଙ୍କ ଗୋଡ଼ ପାହାଡ଼ର ୬୫୦ ଫୁଟ ଉଚ୍ଚ ଏକ ତୀଖରୁ ଖସିଯାଇଥିଲା। ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ପୁରୁଷ ବନ୍ଧୁ ମଧ୍ୟ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ। ଫଳରେ ଉଭୟ ତଳକୁ ଗଳି ପଡ଼ିଥିଲେ। ପୁରୁଷ ବନ୍ଧୁ ଜଣକ ୫୦ ଫୁଟ ତଳେ ଥିବା ଅନ୍ୟ ଏକ ତୀଖକୁ ଜାବୁଡ଼ି ଧରି ଲଟକି ରହିଥିବା ବେଳେ ଯୁବତୀ ଜଣକ ତଳକୁ ଖସିଥିଲେ। ତେବେ ଅଧାବାଟରେ ଏକ ବରଫ ଖଣ୍ଡ ତାଙ୍କୁ ବଞ୍ଚାଇଦେଇଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମତେ ଉଭୟଙ୍କୁ ପରେ ଗୁରୁତର ଅବସ୍ଥାରେ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର