ଡିସେମ୍ବରରେ ୧ ଲକ୍ଷ ୨୯ ହଜାର କୋଟିର ଜିଏସଟି ରାଜସ୍ବ ସଂଗ୍ରହ

ନୂଆଦିଲ୍ଲୀ : ଗତ ଡିସେମ୍ବର ମାସରେ ୧ ଲକ୍ଷ ୨୯ ହଜାର ୭୮୦ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ କରାଯାଇଛି । ଏହା ପୂର୍ବମାସ ଅର୍ଥାତ ନଭେମ୍ବର ତୁଳନାରେ କମ୍ ଥିଲେ ମଧ୍ୟ ୨୦୨୦ର ଡିସେମ୍ବର ମାସ ତୁଳନାରେ ୧୩ ପ୍ରତିଶତ ଅଧିକ । ନଭେମ୍ବରରେ ୧.୩୧ ଲକ୍ଷ କୋଟିର ଜିଏସଟି ସଂଗ୍ରହ ହୋଇଥିଲା ।

ଗତ ୨୦୧୭ ଜୁଲାଇ ମାସରେ ଦେଶରେ ଜିଏସଟି ଲାଗୁ ହେବା ପରେ ଏହା ହେଉଛି ୩ୟ ସର୍ବାଧିକ ମାସିକ ଜିଏସଟି ସଂଗ୍ରହ । ପୂର୍ବରୁ ଗତ ଏପ୍ରିଲ ମାସରେ ରେକର୍ଡ ୧ ଲକ୍ଷ ୪୨ ହଜାର କୋଟିର ଜିଏସଟି ସଂଗ୍ରହ କରାଯାଇଥିଲା ।

ଡିସେମ୍ବର ମାସରେ ସଂଗ୍ରହ ହୋଇଥିବା  ୧.୨୯ ଲକ୍ଷ କୋଟିରୁ କେନ୍ଦ୍ରୀୟ ଜିଏସଟି ଟ. ୨୨୫୭୮ କୋଟି, ରାଜ୍ୟ ଜିଏସଟି ଟ.୨୮,୬୫୮ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୬୯, ୧୫୫ କୋଟି ଟଙ୍କା ଓ ସେସ ୯୩୮୯ କୋଟି ଟଙ୍କା ଅନ୍ତର୍ଭୁକ୍ତ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି  ।

ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ କରୋନା ମହାମାରୀର ୨ୟ ଲହରର ପ୍ରକୋପ ଅଧିକ ଥିବାରୁ ବିଭିନ୍ନ ରାଜ୍ୟ ପୁଣି ଥରେ ଲକଡାଉନ ଲାଗୁ କରିଥିଲେ । ଏହା ଫଳରେ ଅର୍ଥନୀତି ପ୍ରଭାବିତ ହେବା ସହ ଜିଏସଟି ରାଜସ୍ବ ହ୍ରାସ ପାଇଥିଲା । ତେବେ କରୋନାର ପ୍ରକୋପ କମିବା ସହ ଲକଡାଉନ କଟକଣା କୋହଳ ହେବା ସହ ଅର୍ଥନୈତିକ କାର୍ଯ୍ୟକଳାପ  ସ୍ବାଭାବିକ ହୋଇଥିଲା । ଏହାପରେ ଜିଏସଟି ରାଜସ୍ବ ସ୍ବାଭାବିକ ହୋଇଥିଲା । ତେବେ ପୁଣି ଓମିକ୍ରନ ଆସିବା ପରେ ଜିଏସଟିକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର