୨୪ ବର୍ଷ ଧରି ଓଡ଼ିଶାର ସେବା କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ: ବିଜେଡି

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଭଲ ପ୍ରଦର୍ଶନ କରିଛି। ୨୧ରୁ ୧୯ଟି ଆସନରେ ବିଜେପି ବିଜୟ ହାସଲ କରିଛି। ସେହିପରି ବିଧାନସଭା ନିର୍ବାଚନରେ ମଧ୍ୟ ବିଜେଡିକୁ ନିରାଶ ହେବାକୁ ପଡ଼ିଛି। ବିଜେଡିକୁ ୫୦ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୮୦ଟି ଆସନରେ ଆଗୁଆ ଅଛି।
ନିର୍ବାଚନ ଫଳାଫଳ ସଂପୂର୍ଣ୍ଣ ରୂପେ ଘୋଷଣା ହୋଇଥିବା ବେଳେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି, ସାଢ଼େ ଚାରିକୋଟି ଓଡିଶା ବାସୀଙ୍କୁ ଧନ୍ୟବାଦ। ବିଜୁ ଜନତା ଦଳକୁ ଗତ 24 ବର୍ଷ ହେଲା ନିରନ୍ତର ଆଶୀର୍ବାଦ କରିଛନ୍ତି। ସେହି ସୁଯୋଗ ଦେଇଥିବାରୁ ଓଡ଼ିଶାର ସେବା କରି ଆସିଛୁ ଏଥିପାଇଁ ଆମେ ଚିର କୃତଜ୍ଞ। ଏହି ନିର୍ବାଚନରେ ମଧ୍ୟ ଗତ ନିର୍ବାଚନ ଅପେକ୍ଷା ଆପଣମାନେ ବିଜୁ ଜନତା ଦଳକୁ ଆଶୀର୍ବାଦ କରି ପାଖାପାଖି ୪୦ ପ୍ରତିଶତ ଭୋଟ୍ ହାର ବିଜୁ ଜନତା ଦଳକୁ ଦେଇଛନ୍ତି । ଆପଣ ୫୦ରୁ ୫୧ ସିଟ ଜୟଯୁକ୍ତ କରାଇଛନ୍ତି। ଏଥିପାଇଁ କୃତଜ୍ଞତା ଜ୍ଞାପନ କରୁଛୁ। ଏ ସମୟରେ ଆମେ ଭାରତୀୟ ଜନତା ପାର୍ଟିର ସଫଳତା ପାଇଁ ଅଭିନନ୍ଦନ ଜଣାଉଛୁ। ଓଡିଶାବାସୀ ଯେଉଁ ଭୂମିକାରେ ଆମକୁ ଆଗାମୀ ଦିନରେ ଆଗେଇ ନେବେ ସେହି ଭାବରେ ଆମେ ସେବା କରିବୁ।

ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ କହିଛନ୍ତି, ଗତ ୨୪ ବର୍ଷ ଧରି ବିଜୁ ଜନତା ଦଳର ସଭାପତିଙ୍କୁ ଓ ଦଳକୁ ଲୋକମାନେ ଆକୁଣ୍ଠ ଭଲପାଇବା ଦେଇଛନ୍ତି। ଏଥିପାଇଁ ଆମେ କୃତଜ୍ଞ । ପୂର୍ବରୁ ବିଜୁ ଜନତା ଦଳ ଓଡିଶାବାସୀଙ୍କ ଯେମିତି ସେବା କରିଛି ସେହିଭଳି ଆଗାମୀ ଦିନରେ ମଧ୍ୟ ଆମେ ଠିକ ଏଭଳି ସେବା ଯୋଗାଇବୁ। ସେହିପରି ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି, ସାଢ଼େ ଚାରିକୋଟି ଓଡିଶା ବାସୀଙ୍କ ପାଖରେ ଆମେ ଚିର ଋଣୀ । ଆଜି ବିଜେପିକୁ ମଧ୍ୟ ତାଙ୍କର ସଫଳତା ପାଇଁ ଶୁଭେଚ୍ଛା । ଓଡ଼ିଶାବାସୀ ଆଜି ଯେଉଁ ଦାୟିତ୍ୱ ଦେଇଛନ୍ତି ତାହା ଠିକ ଭାବେ ନେବୁ ଓ ଓଡ଼ିଶାର ଉନ୍ନତି ପାଇଁ ଯେମିତି କାମ କରୁଥିଲୁ ତାହା ଜାରି ରହିବ ।

ସମ୍ବନ୍ଧିତ ଖବର