ଚିକିତ୍ସା ପାଇଁ ଧାଡ଼ିରେ ୧୧ ଘଣ୍ଟା: ଏମ୍‌ସରେ ସକାଳ ୯ ପାଇଁ ପୂର୍ବ ରାତି୧୦ରୁ ଧାଡ଼ି

ଆଭା ପଞ୍ଜୀକରଣ ବଢ଼ାଉଛି ଅପେକ୍ଷା କଷ୍ଟ

ଭୁବନେଶ୍ବର: ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବାପା। କାହାକୁ ନ ଧରିଲେ ଏକୁଟିଆ ମଧ୍ୟ ଉଠିପାରୁ ନାହାନ୍ତି। ପ୍ରତି ମୁହୂର୍ତ୍ତରେ ସାହାଯ୍ୟ ଲୋଡ଼ୁଛନ୍ତି। ତେଣୁ ରାସ୍ତା ପାର୍ଶ୍ବରେ ସପରେ କନ୍ଥା ପକାଇ ବାପାଙ୍କୁ ଶୁଆଇ ଏମ୍‌ସ ମୁଖ୍ୟ ଗେଟ୍ ସମ୍ମୁଖରେ ରାତି ୧୦ଟାରୁ ଛିଡ଼ା ହୋଇଛନ୍ତି ସୁପ୍ରଭା। ସକାଳ ୭ଟାରେ ଓପିଡି ଟିକେଟ କାଉଣ୍ଟର ଖୋଲେ, ସକାଳ ୯ଟାରେ ଡାକ୍ତର ରୋଗୀ ଦେଖନ୍ତି। କିନ୍ତୁ ଏମ୍‌ସରେ ଏତେ ହଜାର ରୋଗୀ, ସେଥିରେ ପୁଣି ସୁପର ସ୍ପେସାଲିଟି ସ୍ନାୟୁବିକ ରୋଗୀଙ୍କ ସଂଖ୍ୟା କାହିଁରେ କେତେ! ହେଲେ ଏଥିପାଇଁ ସୀମିତ ସଂଖ୍ୟକ ଟିକେଟ। ଏବେଠାରୁ ମୁଣ୍ଡ କ’ଣ ହୋଇ ଯାଉଛି, ଭୋକ ହେଉଛି। ମନ ଭାରାକ୍ରାନ୍ତ ଲାଗୁଛି। ଗୋଡ଼ ବି ବିନ୍ଧୁଛି। କିନ୍ତୁ ରୋଗରେ ଛଟପଟ ବାପାଙ୍କ ଚିକିତ୍ସା କେମିତି ହେବ! ଘର ପାଖରେ ଚିକିତ୍ସା ସୁବିଧା ଥିଲେ କି ରୋଗୀ ତୁଳନାରେ ଏ ଡାକ୍ତରଖାନା ଆଉ ବଡ଼ ହୋଇଥିଲେ ଏତେ ହଇରାଣ ହେବାକୁ ପଡ଼ନ୍ତା ନାହିଁ ବୋଲି କହିଲେ ସୁପ୍ରଭା।

କେବଳ ସୁପ୍ରଭା ନୁହନ୍ତି, ଖରା, ବର୍ଷା ହେଉକି ଶୀତ, ପ୍ରତିଦିନ ଏମ୍‌ସ ସମ୍ମୁଖରେ ରାତି ୧୦ଟାରୁ ଏହିଭଳି ଶହ ଶହ ଲୋକଙ୍କ ଧାଡ଼ି ଦେଖିବାକୁ ମିଳୁଛି। ସେଥିରେ ପୁଣି କିଛି ମାସ ହେଲା ଆଭା (ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ) ପଞ୍ଜୀକରଣ ଆରମ୍ଭ ହେବା ପରଠାରୁ ଧାଡ଼ି କଷ୍ଟ ଆହୁରି ବଢ଼ି ଯାଇଥିବା କହିଛନ୍ତି ଅନେକ ରୋଗୀ। ସୂଚନା ଅନୁଯାୟୀ, ଏମ୍‌ସ ଓପିଡିରେ ସକାଳ ୯ରୁ ଡାକ୍ତର ରୋଗୀ ଦେଖନ୍ତି। ସେଥିପାଇଁ ଓପିଡି ଟିକେଟ ପାଇଁ ପୂର୍ବରାତି ପ୍ରାୟ ୮ଟାରୁ ରୋଗୀଙ୍କ ସମ୍ପର୍କୀୟମାନେ ପଥର ଓ ବ୍ୟାଗ୍‌ ଆଦି ରଖି ଧାଡ଼ି ତିଆରି କରନ୍ତି। ୧୦ଟା ବେଳକୁ ସମସ୍ତେ ଆସି ନିଜ ରଖିଥିବା ସ୍ଥାନରେ ଛିଡ଼ା ହୁଅନ୍ତି। ରାତି ୧୧.୩୦ ବେଳକୁ ଏମ୍‌ସ ମୁଖ୍ୟ ଫାଟକ ଖୋଲିଯାଏ। ସୁରକ୍ଷା କର୍ମୀଙ୍କ ତତ୍ତ୍ବାବଧାନରେ ପ୍ରବେଶ ଦ୍ବାରକୁ ସମସ୍ତେ ପଶିଥାଆନ୍ତି। ରାତି ତମାମ ସେଠାରେ କଟାଇବା ପରେ ସକାଳ ୭ଟାରେ ଫାଟକ ଖୋଲେ। ଓପିଡି ଖୋଲିବା ପରେ ପ୍ରଥମେ ଆଭା ନମ୍ବର ପାଇଁ ଛିଡ଼ା ହୁଅନ୍ତି। ତା’ପରେ ଓପିଡି ଟିକେଟ କାଉଣ୍ଟରରୁ ଟିକେଟ ନେଇ ଡାକ୍ତରଙ୍କ କ୍ୟାବିନ ପର୍ଯ୍ୟନ୍ତ ଯାଆନ୍ତି। ସବୁଠି ଶହ-ଶହ ଲୋକଙ୍କ ଧାଡ଼ି। ସୁପର ସ୍ପେସାଲିଟି ବିଭାଗରେ ସୀମିତ ସଂଖ୍ୟାକ ଟିକେଟ ଥିବାରୁ ଅନେକ ସମୟରେ ରାତିସାରା ଛିଡ଼ାହେବା ପରେ ମଧ୍ୟ ଟିକେଟ ମିଳେନାହିଁ।

ଓପିଡିରୁ ଟିକେଟ ନେଇ ବିଭାଗୀୟ ଓପିଡିରେ ଆବଶ୍ୟକ ଦସ୍ତାବିଜ ଦାଖଲ କରି ଆଉ ଥରେ ଧାଡ଼ିରେ ଛିଡ଼ା ହୁଅନ୍ତି। ଏହି ସମୟରେ ବି ଏତେ ଲମ୍ବା ଧାଡ଼ି ଥାଏ ଯେ ଡାକ୍ତର ଦେଖିବା ବେଳକୁ ଅପରାହ୍ନ ମଧ୍ୟ ହୋଇଯାଏ। ରାସନ କାର୍ଡ, ବିଜୁ ସ୍ବାସ୍ଥ୍ୟକାର୍ଡ, ଔଷଧ, ପରୀକ୍ଷା ହେଉକି ଦେୟ ଦାଖଲ; ଚିକିତ୍ସାର ପ୍ରତ୍ୟେକ ପର୍ଯ୍ୟାୟରେ ଗୋଟିଏ କାଉଣ୍ଟରରୁ ଆଉ ଗୋଟିଏ କାଉଣ୍ଟର ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଧାଡ଼ିରେ ଛିଡ଼ା ହେବାକୁ ହୁଏ। ଏମ୍‌ସରେ ଉନ୍ନତମାନର ଚିକିତ୍ସା ମିଳେ। ଏଠାରେ ଦିଆଯାଉଥିବା ସୁବିଧା ଯେକୌଣସି ବଡ଼ ଘରୋଇ ଡାକ୍ତରଖାନାର ସୁବିଧା ସହିତ ସମକକ୍ଷ। କିନ୍ତୁ ସେଥିପାଇଁ ଘଣ୍ଟା ଘଣ୍ଟା ଧାଡ଼ିରେ ଠିଆ ହେବାକୁ ପଡୁଛି। ଓପିଡିରେ ଟିକେଟ ବ୍ୟବସ୍ଥା ସତ୍ତ୍ବେ ଆଭା ବ୍ୟବସ୍ଥା ଆରମ୍ଭ କରି ଆଉ ଗୋଟିଏ ଲମ୍ବାଧାଡ଼ି ପ୍ରକ୍ରିୟାକୁ କାହିଁକି ଯୋଡ଼ା ଯାଇଛି ବୋଲି ପ୍ରଶ୍ନ କରାଯାଉଛି। ଏନେଇ ଏମ୍‌ସ ପକ୍ଷରୁ କୁହାଯାଇଛି, ଆଭା ପ୍ରକ୍ରିୟା କେନ୍ଦ୍ରରୁ ପରିଚାଳନା କରାଯାଉଛି। ଏହା ଜରିଆରେ ପ୍ରତ୍ୟେକ ରୋଗୀ ଏବଂ ରୋଗର ବିବରଣୀ ସମ୍ପର୍କରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅବଗତ ହେଉଛନ୍ତି। ଭବିଷ୍ୟତରେ ସରକାର ସ୍ବାସ୍ଥ୍ୟକୁ ନେଇ ଯୋଜନା ପ୍ରସ୍ତୁତ କଲେ, ଏହା ତାଙ୍କ ପାଇଁ ଲାଭଦାୟକ ହେବ।

ସମ୍ବନ୍ଧିତ ଖବର