ଅର୍ଚ୍ଚନା ନାଗ ମାମଲା: ଇଡିକୁ କାଗଜପତ୍ର ହସ୍ତାନ୍ତର କଲା ଖଣ୍ଡଗିରି ଥାନା

ଭୁବନେଶ୍ବର: ଖଣ୍ଡଗିରି ଥାନା ପୁଲିସ୍‌ ଆଜି ଅର୍ଚ୍ଚନା ନାଗ ମାମଲା ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ଇଡିକୁ ହସ୍ତାନ୍ତର କରିଛି। କିନ୍ତୁ ଅର୍ଚ୍ଚନା, ଜଗବନ୍ଧୁ ଚାନ୍ଦ, ଖଗେଶ୍ବର ପାତ୍ରଙ୍କଠାରୁ ପୁଲିସ ଜବତ କରିଥିବା ମୋବାଇଲ, ହାର୍ଡଡିସ୍କ, ଲାପଟପ, ସିସିଟିଭି ଫୁଟେଜ୍‌ ଆଦିର ତଥ୍ୟ ଏଯାଏ ଇଡିକୁ ମିଳିନାହିଁ। ଏନେଇ ଇଡି କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କୋର୍ଟ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ଫୋରେନସିକ୍ ଲାବ୍ରୋଟାରି ଖୁବ୍‌ଶୀଘ୍ର ତଥ୍ୟ ପ୍ରଦାନ କରିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ୬ଦିନିଆ ରିମାଣ୍ଡରେ ଆସିଥିବା ଅର୍ଚ୍ଚନାଙ୍କୁ ଇଡି ଗତ ୪ ଦିନ ହେଲା ଘନଘନ ଜେରା କରିଥିଲେ ହେଁ ତାଙ୍କୁ ମୁହଁରୁ ସେପରି କୌଣସି ତଥ୍ୟ ସଂଗ୍ରହ କରିପାରିନାହିଁ।

ସୂଚନାଯୋଗ୍ୟ ଯେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନିଆଯିବା ବେଳେ ସେ ଗଣମାଧ୍ୟମକୁ କହିଥିଲେ ଯେ ସେ ଇଡିକୁ ଅପେକ୍ଷା କରିଥିଲେ। ଏବେ ତାଙ୍କୁ ମୁହଁ ଖୋଲିବାକୁ ସୁଯୋଗ ମିଳିବ। କିଏ କିଏ ସବୁ ସଂପୃକ୍ତ ଅଛନ୍ତି? ସବୁ ପ୍ରମାଣ ଦେଖାଇବେ ବୋଲି କହିଥିଲେ। କିନ୍ତୁ ଇଡି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅର୍ଚ୍ଚନା ତଦନ୍ତରେ ଆଦୌ ସହଯୋଗ କରୁନାହାନ୍ତି। ଅନ୍ୟପକ୍ଷରେ ଇଡିର ବାରମ୍ବାର ନୋଟିସ୍‌ ପରେ ମଧ୍ୟ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ହାଜର ହେଉନାହାନ୍ତି। ଫଳରେ ଅର୍ଚ୍ଚନାଙ୍କ ସହ ତାଙ୍କୁ ମୁହାଁମୁହିଁ ଜେରା କରାଯାଇପାରୁନାହିଁ। ଶ୍ରଦ୍ଧାଞ୍ଜଳି ଏବେ କେଉଁଠି, କାହିଁକି ସାମ୍ନାକୁ ଆସୁନାହାନ୍ତି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର